ମାତିଛି ଗୋଠ ଛଡ଼ା ଦନ୍ତା, ୨ଦିନରେ ଭାଙ୍ଗିଲାଣି ୨ ଜଣଙ୍କ ଘର ।

0 266

ନାକଟିଦେଉଳ,୨୯/୦୧ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ଏକ ଗୋଠ ଛଡା ଦନ୍ତା ଉପଦ୍ରଵ କରି ବ୍ୟାପକ କ୍ଷୟ କ୍ଷତି ଘଟାଇବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ରୁଜି ଦେଇଥିବା ଜଣା ପଡିଛି । ଏହି ଗୋଠ ଛଡା ଦନ୍ତା ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ ଟା ସମୟରେ ବିନ୍ଧପୁର ଗ୍ରାମକୁ ଆସି ବ୍ୟାପକ ଉପଦ୍ରଵ କରିଛି । ଏଥିରେ ଗ୍ରାମର ଦୋଳମଣୀ ବିଶିଙ୍କ ଦୁଇ ବଖରା ଘର ଭାଙ୍ଗି ଯାଇଛି । ଉକ୍ତ ଦନ୍ତା ରାତିରେ ଘର ନିକଟକୁ ଆସିଥିବା ବେଳେ କୁକୁର ଭୁକି ଥିଲା । କୁକୁର ଭୁକିବା ଶୁଣି ଘର ଭିତରେ ଶୋଇ ଥିବା ଦୋଳମଣୀର ପରିବାର ଲୋକେ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । ତେବେ ଦନ୍ତା ହାତୀ ତାଙ୍କର ଘରର କାନ୍ଥ ଭାଙ୍ଗି ଭିତରେ ଥିବା ୫୦ କେଜି ଚାଉଳ, ଅନ୍ୟାନ୍ୟ ରାସନ ସାମଗ୍ରୀ ସବୁ ଖାଇ ଯାଇ ଏଣେତେଣେ ଫୋପାଡ଼ି ଦେଇଥିଲା । ଏପରିକି ରନ୍ଧନ ଗ୍ୟାସ ଚୁଲା ଓ ଆସବାବ ପତ୍ର ସବୁ ନଷ୍ଟ କରିଦେଇଥିବା ଦୋଳମଣୀ ବିଶି ଅଭିଯୋଗ କରିଛନ୍ତି । ସେହିପରି ସୋମବାର ରାତିରେ ମଧ୍ୟ ଏହି ଦନ୍ତା ଅଙ୍ଗାବିରା ଗ୍ରାମରେ ଭାବଗ୍ରାହୀ ସାହୁଙ୍କ ଘରର କାନ୍ଥ ଭାଙ୍ଗି ଧାନ ସବୁ ଖାଇ ଯାଇଥିଲା । ଗୋଠ ଛଡା ଦନ୍ତା ର ଉତ୍ପାତ ରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀ ଘଉଡ଼ାଇବାରେ ବନ ବିଭାଗ ଠୋସ ପଦକ୍ଷେପ ନେବାକୁ ଅଞ୍ଚବାସୀଙ୍କ ମଧ୍ୟରେ ଦୃଢ଼ ଦାବୀ ହେଉଛି ।

 

Leave A Reply

Your email address will not be published.