ଆମ ନେତା ନବୀନ ବାବୁଙ୍କ ପାଇଁ ଜେଲ କଣ ଜୀବନ ଦେବୁ : ବବି ।

0 183

ଯାଜପୁର,୨୬/୧୨(ପିପିଟି):ଯୋଦ୍ଧା କେବେ ମୃତ୍ୟୁକୁ ଡରେନା,ଭୀରୁ ବାରମ୍ବାର ମରେ। ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଆଜି ବିରଜା କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି।

ପ୍ରଣବ ପ୍ରକାଶ କହିଛନ୍ତି ବିଜେଡି ପ୍ରତିଷ୍ଠା ଦିନ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ସେବା କରି ଆସୁଛି। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସାଧାରଣ ଭୋଟର ଆଜି ଅନୁତାପ ନିଆଁରେ ଜଳୁଛି। ବିଜେପିର ମିଛ ପ୍ରତିଶ୍ରୁତିରେ ଜନତା ପ୍ରତାରିତ ହେଉଛି। ବିଜେପି ବିକାଶକୁ ବିରୋଧ କରୁଛି ବୋଲି କହିବା ସହ ପ୍ରଣବ ପ୍ରକାଶ କହିଛନ୍ତି ଯାଜପୁର ମେଡିକାଲ କଲେଜର ୧୦୦ ସିଟ ବଦଳରେ କାହିଁକି ୫୦ ସିଟ ହେଲା। ନବୀନ ସରକାର ସମୟରେ ନିର୍ମାଣ ହୋଇଥିବା ଏହି ମେଡିକାଲ କଲେଜକୁ ବିଜେପି ସହି ପାରିଲା ନାହିଁ। ଯାଜପୁରରେ ଆଜି ଯେଉଁ ବିକାଶ ହୋଇଛି ତାହା ନବୀନଙ୍କ ପାଇଁ ସମ୍ଭବ ହୋଇଛି। ତେଣୁ ନବୀନଙ୍କ ପାଇଁ ଜେଲ୍‌ କଣ ଜୀବନ ଦେବାକୁ ପ୍ରସ୍ତୁତ ଅଛି। ଲୋକେ ଆମକୁ ଶାସନ ଡୋରି ଦେଇଥିଲେ ଏବେ ବିରୋଧୀ ଆସନରେ ବସେଇଛନ୍ତି। ଏଥିରେ କିଛି ଦୁଃଖ ନାହିଁ। ଆମେ ଲୋକଙ୍କ ସ୍ୱର ସାଜିବା ବୋଲି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଏଥି ସହିତ ଦଳ ବଦଳକାରୀଙ୍କ ଉପରେ ବର୍ଷିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଦଳ ବଦଳକାରୀ ଦଲାଲ ସହ ସମାନ। କର୍ମୀ କେବେ ଦଳ ବଦଳ କରେନି କିନ୍ତୁ ଦଲାଲ ନିଜ ସ୍ବାର୍ଥ ଦେଖେ। ଯୋଦ୍ଧା କେବେ ମୃତ୍ୟୁକୁ ଡରେନା,ଭୀରୁ ବାରମ୍ବାର ମରେ। ମାଆ ବିରଜା ପାଇଁ ଭବ ପ୍ରସାଦ ଜେଲ ଗଲେ, ଯାଜପୁରର ବିକାଶ ଓ ମା’ବିରଜା ପାଇଁ ଆମେ ସବୁ କିଛି କରିପାରିବୁ। ଯିଏ ଅସ୍ତିତ୍ବ ପାଇଁ ଲଢ଼ିନି ତାର ଅସ୍ତିତ୍ବ ରହିବ ନାହିଁ।ସୂଚନାଯୋଗ୍ୟ ଯାଜପୁର ନିର୍ବାଚନ ମଣ୍ଡଳୀ ବିରଜା କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ବୈଠକରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ,ଯାଜପୁର ବିଧାୟିକା ସୁଜାତା ସାହୁ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେପି ସରକାରକୁ ଆସିବା ପରେ କିପରି ଲୋକଙ୍କୁ ପ୍ରତାରିତ କରୁଛି, ଏହା ବିରୋଧରେ ବିଜେଡି କର୍ମୀ ମାନେ ଏକାଠି ହୋଇ ଆଗାମୀ ଦିନରେ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଜବାବ ଦେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଦଶରଥପୁର ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକ, ଯାଜପୁର ବ୍ଲକ ଅଧକ୍ଷା ସ୍ୱର୍ଣ୍ଣଲତା ପରିଡା, ପୌରପାଳିକା ସମସ୍ତ କାଉଁସିଲର ଓ ନିର୍ବାଚନୀ ମଣ୍ଡଳୀର ସମସ୍ତ ସରପଞ୍ଚ ,ସମିତି ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.