ଭଞ୍ଜନଗର, ୧୦/୧୨(ପିପିଟି) :ଆଜି ଭୋର ୫ ଟାରେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ବଡଗଡ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁରରେ ବେଆଇନ ଭାବେ କରତ କଳ ଦ୍ଵାରା କାଠ କାଟୁଥିବା ସମୟରେ ଘୁମୁସର ଦକ୍ଷିଣ ବନଖଣ୍ଡ ବିଭାଗ ତରଫରୁ ସଦଳ ବଳେ ଅତର୍କିତ ଚଢ଼ାଉ କରା ଯାଇଥିଲା। ବ୍ରହ୍ମପୁର ବନ ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ଏବଂ ଗଞ୍ଜାମ ଜିଲ୍ଲା ପୋଲିସ ସୂପରିଟେଣ୍ଡଣ୍ଟ ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖଙ୍କ ମିଳିତ ସହଯୋଗରେ ଏହି ଚଢାଉ କାର୍ଯ୍ୟ ଜାରି ରହିଥିଲା । ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପୋଲିସ ବାହିନୀର ଅନୁନ୍ୟ ୮୦ ଜଣ ସୁରକ୍ଷା କର୍ମୀ ତଥା ଗଞ୍ଜାମ ଓ ଘୁମୁସର ବନବିଭାଗ ବାହିନୀର ପ୍ରାୟ ୧୦୦ଜଣ ସ୍କ୍ୱାଡ୍ କର୍ମୀଙ୍କ ସମ୍ମିଳିତ ଉଦ୍ୟମ କ୍ରମେ ଏହି ଚଢ଼ାଉ କାର୍ଯ୍ୟ କରାଯାଇ ପାଖାପାଖି ତିନି ଶହ ଘନଫୁଟ ପରିମାଣର ବେଆଇନ କାଠ ଗଣ୍ଡି ଓ ପଟା ଜବତ କରା ଯାଇଛି ।ଏଥିରେ ଘୁମୁସର ଦକ୍ଷିଣ ବନଖଣ୍ଡର ୫ ଗୋଟି ବନାଞ୍ଚଳ ଅଧିକାରୀଙ୍କ ମଧ୍ୟରେ ବୁଗୁଡ଼ା,ଆସ୍କା,ସୋରଡ଼ା,ବଡଗଡ,ଓ ପୋଲସରା ରେଞ୍ଜ ଅଫିସର ବୃନ୍ଦ ଓ ଘୁମୁସର ଉତ୍ତର ବନଖଣ୍ଡ ତଥା ପଡୋଶୀ ଫୁଲବାଣୀ ବନଖଣ୍ଡର ଅଧିକାରୀ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ । ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି ଯେ, ପ୍ରାୟ ୩ଗୋଟି କରତ କଳକୁ ଭଙ୍ଗାଯାଇ ଯନ୍ତ୍ରପାତି ଜବତ କରା ଯାଇଛି । ଜବତ କାଠ ଓ ଅନ୍ୟାନ୍ୟ ସାମଗ୍ରୀର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଚଢ଼ାଉ ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡ ସହକାରୀ ବନ ସଂରକ୍ଷକ ପ୍ରଦୀପ ବେହେରା, ଓ ରଜତ କୁମାର ମିଶ୍ର,ସୋରଡ଼ା ସହକାରୀ ବନ ସଂରକ୍ଷକ ନିହାର ରଞ୍ଜନ ମଲ୍ଲିକ ଓ ବଡଗଡ ବନାଞ୍ଚଳ ଅଧିକାରୀ ଅଞ୍ଜନ ନାୟକଙ୍କ ଉଦ୍ୟମ ଓ ଉପସ୍ଥିତି ଯୋଗୁଁ ଏହି ଚଢ଼ାଉ ସଫଳ ହୋଇ ପାରିଛି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)