କଇଁ ମୁଁ ଦେଖିଚି ସରୋବରେ ଆଜି
ଶୀତୁଆ ଶିଶିର ରାତି….
ଚାରି ପାରୁଶରେ ଧାନ ବିଲ ମାଳ
ଜହ୍ନ ଆସେ ନଭେ ଉଠି….
ପାହାଡ ଉହାଡ ପାଶେ
କି ସୁନ୍ଦର ରୂପ କାନ୍ତି ଝଟ ଝଟ
ଜ୍ୟୋତ୍ସ୍ନାରେ ଦିଗନ୍ତ ହସେ….!!
ଗାଁ ରୁ ଲମ୍ବିଛି ସରୁ ଚଲା ପଥ
ନୀଳ ପୋଖରୀର ପାଶେ….
ସେ ପୋଖରୀ ଜଳେ କଇଁ ଲୁଚି ଅଛି
ମୁହଁ କୁ ଲୁଚାଇ ଧୀରେ….
ବିଚିତ୍ର ପ୍ରେମର ଲୀଳା
ଲାଜ ସର ସର ହୋଇ ହରବର
କୁଆଁରୀ କନିଆଁ କି ସେ….?
ପଲ୍ଲୀ ପ୍ରାନ୍ତେ ରହି ଭାବିଛି ଦେଖିବି
ନିରୋଳା ରେ କଇଁ ପ୍ରେମ….
ଗଡିଆ ପାଖରେ ବସି ନିରେଖି ମୁଁ
ଆକାଶେ ନିର୍ମଳ ଜହ୍ନ….
ରସିକ କୁ ଜ୍ଞାତ ପ୍ରୀତି
ରଜତ କିରଣ ପାଇ କୁମୁଦିନୀ
ବିକଶିଲା ପୁଷ୍ପ ଦଳ….!!
କାହିଁକି କେତେ ଦୂରେ ଜହ୍ନ ରହିଅଛି
ତାହାର କଳନା ନାହିଁ….
କଇଁ ଜହ୍ନ ପ୍ରୀତି ନିବିଡ ସମ୍ପର୍କ
ତାହାର ତୁଳନା ନାହିଁ……
ଅଙ୍ଗେ ଅନଙ୍ଗର ଜ୍ବାଳା
ପ୍ରକୃତିର ଲୀଳା ଦେଖିଣ ବିଭୋର
ବିସ୍ମିତ ହୋଇଲି କ୍ଷଣେ….!!
ମଣିଷର ପ୍ରେମ କେତେ ଯେ କଳଙ୍କ
ଲୁହରେ ନୟନ ଭେଜେ….
କିଏ ଝୁରି ମରେ ବିରହ ବିଦଗ୍ଧେ
କିଏ ଭୁଲେ ସ୍ବାର୍ଥ ଲୋଭେ…
ପ୍ରକୃତିର ଗୁଣ କର୍ମ
ଶାଶ୍ବତ ପ୍ରେମ ଯେ ସଂସାରରେ ସାର
ଅକ୍ଷୟ କୀର୍ତ୍ତି ରଟନେ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)