ଘୁମୁସର ବିକାଶ ପରିଷଦର ଜରୁରୀ ବୈଠକ ।

0 273

ଭଞ୍ଜନଗର, ୧୬/୧୧(ପିପିଟି) :ସ୍ଥାନୀୟ ହାଇସ୍କୁଲ ଛକ ନିକଟ ନାୟକ ଭବନ ଠାରେ ଆଜି ମଧ୍ୟାହ୍ନରେ ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ଆଗାମୀ ବିଧାନ ସଭା ଶୀତ କାଳୀନ ଅଧିବେଶନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ସୋମନାଥ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଅନ୍ୟତମ ନ୍ୟାସୀ ସଦସ୍ୟ ଦିବଂଗତ ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗତ ବୈଠକର ବିବରଣୀ ପାଠ କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ଠାରେ ଶୀତଳ ଭଣ୍ଡାରର ଶୁଭାରମ୍ଭ କରି ଘୁମୁସର ଚାଷୀ ମାନଙ୍କ ବହୁବର୍ଷର ଦାବୀ ପୂରଣ କରିଥିବାରୁ ପରିଷଦ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଧାୟକଙ୍କ ପୂର୍ଣ୍ଣ ସହାୟତାରେ ଭଞ୍ଜନଗର ଓକିଲ ସଂଘ ଦୀର୍ଘ ଚାଳିଶ ବର୍ଷପରେ ଭଞ୍ଜନଗର ଠାରେ ଓଡିଶା ଓକିଲ ସଂଘ ତାର ବାର୍ଷିକ ଅଧିବେଶନ ଆସନ୍ତା ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇଦିନ ଧରି ପାଳନ କରୁଥିବାରୁ ଏହାକୁ ସ୍ୱାଗତ କରାଯାଇଥିଲା।ଘୁମୁସର ଜିଲ୍ଲା ଦାବୀ କିପରି ଶୀଘ୍ର ପୂରଣ ହେବ ସେ ଦିଗରେ ଆଶୁ ପଦକ୍ଷେପ ନେବାକୁ ବିଧାୟକଙ୍କୁ ଅନୁରୋଧ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି। ଏ ଦିଗରେ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ସହଯୋଗ କରିବାକୁ ସବୁ ବ୍ଲକର ୫ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।ଘୁମୁସର ଜିଲ୍ଲା ସାଙ୍ଗକୁ ଭଞ୍ଜନଗର ଏନ.ଏ.ସି କୁ ତୁରନ୍ତ ମୁନିସିପାଲିଟି ଭାବେ କାର୍ଯ୍ୟକ୍ଷମ କରିବା, ତାରାସିଂ ନିକଟ ତିନି ଛକିଆ, ବାଲିପଦର ଓ ସୋରଡ଼ା ବଡ଼ଗଡ଼କୁ ବ୍ଲକ ଘୋଷଣା କରିବାକୁ ଦାବୀରଖି ଅନ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଦିବଂଗତ ନ୍ୟାସୀଙ୍କ ସ୍ଥାନରେ ବାଉଁଶଲୁଣ୍ଡି ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଛି। ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.