ପ୍ରଣାମ ଭାରତର ଦ୍ବିବାର୍ଷିକ ବୋଇତ ବନ୍ଦାଣ ସମାରୋହ;ସୁବର୍ଣ୍ଣରେଖାରେ ମଙ୍ଗଳାରତି ଓ ସୂର୍ଯ୍ୟପୂଜନ ।

0 282

ଅମର୍ଦ୍ଦାରୋଡ଼,୧୫/୧୧: ଆମ ଉତ୍କଳୀୟ ନୌବାଣିଜ୍ୟରେ ସ୍ମୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ସମାପନୀ ଦିବସ ଅବସରରେ ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ବେଣାପୁରାସ୍ଥିତ ସୁବର୍ଣ୍ଣରେଖା ନଦୀରେ ‘ପ୍ରଣାମ ଭାରତ’ ପକ୍ଷରୁ ଦ୍ବିବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଇଂ. ତ୍ରିଭୁବନ ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଦନ୍ତୁରିତ ସାମୁଦ୍ରିକ ଉପକୂଳ ଓ ନଦୀମୂହାଣରୁ ବୋଇତରେ ପରିଭ୍ରମଣ କରି ସାଧବ ପୁଅମାନେ ବିଭିନ୍ନ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରି ବାଣିଜିକ କୌଶଳ ଏବଂ ଉତ୍କର୍ଷତାର ସଠିକ ଉପଯୋଗ ବଳରେ କିପରି ବାଣିଜ୍ୟ କାରବାର ଚଳାଇ ଆସିଥିଲେ ତାର ସମ୍ୟକ ସୂଚନା ଦେଇଥିଲେ।ମୁଖ୍ୟବକ୍ତା ଚାନ୍ଦିପୁର ଆଇଟିଆରର ଗ୍ରୁପ ଡ଼ାଇରେକ୍ଟର ଡ଼. ପ୍ରଭାକର ମଲ୍ଲିକ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବର ପ୍ରଚ୍ଛଦପଟରେ ଥିବା ସାଧବ ପୁଅଙ୍କ ପୂର୍ବ ଗୌରବ ଓ ଗାରିମାକୁ ବ୍ୟାଖ୍ୟା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସଞ୍ଜୀବ କୁମାର ପାଢୀ,ବିଶିଷ୍ଟ ବ୍ୟବସାୟୀ ଅଜିତ କୁମାର ଦତ୍ତ,ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଓ ପରିବେଶବିତ୍ ମୌସମ କୁମାର ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନର ମୁଖ୍ୟ ସଂଯୋଜକ ଇଂ. ପରମାନନ୍ଦ ମହାପାତ୍ର ଯୋଗ ଦେଇ ୨୦୨୩ ମସିହାରେ ଉତ୍ତର ବାଲେଶ୍ବରରେ କେତେଜଣ ଅବସରପ୍ରାପ୍ତ ଶିକ୍ଷାବିତ୍,ଯନ୍ତ୍ରୀ,ଡ଼ାକ୍ତର, ସାମାଜିକ ସେବାକର୍ମୀ, ଉଦୀୟମାନ ଉଦ୍ୟୋଗପତି ଏବଂ ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଅନୁଷ୍ଠାନଟି ବିଗତ ଏକ ବର୍ଷ ମଧ୍ୟରେ ଆମ ସାମାଜିକ ପରମ୍ପରା, ଐତିହ୍ଯ ଏବଂ ସାଂସ୍କୃତିକ ଅବକ୍ଷୟକୁ ରୋକାଯାଇ ଏକ ବିକଶିତ ବାଲେଶ୍ବର ଗଠନ ପାଇଁ ଏହି ସଂଗଠନ ଚେଷ୍ଟା ଚଳାଇ ଆସିଥିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବଚ୍ଛ ଅଭିଯାନ, ସଚେତନତା,ବୃକ୍ଷରୋପଣ ଏବଂ ମାନସିକ ଜାଗରୂକତା ସୃଷ୍ଟି ପାଇଁ ଉତ୍ତର ବାଲେଶ୍ବରରେ ବହୁବିଧ କାର୍ଯ୍ୟ କରି ଆସୁଥିବା କହିଥିଲେ। ଶେଷରେ ଚାନ୍ଦୁଆ ତିଆରି ପାଇଁ ବାଲିଆପାଳ ରାମେଶ୍ବର ଉତ୍ପାଦଗୋଷ୍ଠୀ ମହିଳା,କ୍ରିଷ୍ଣା ମେକ୍ରେମ ହେଣ୍ଡିକ୍ରାଫ୍ଟ ଉତ୍ପାଦକ ଗୋଷ୍ଠୀ,ଜୀବନ ସାଗର ମହୁ ଉତ୍ପାଦକ ଗୋଷ୍ଠୀ, ରାଧାଗୋବିନ୍ଦ ଉତ୍ପାଦିକା ଗୋଷ୍ଠୀ, ଗୃହଲକ୍ଷ୍ମୀ ନଡ଼ିଆକତା ଉତ୍ପାଦକ ଗୋଷ୍ଠୀ ମହିଳା ସମେତ ସହକାରୀ ଜିଲାପାଳ କୃଷ୍ଣମୋହନ ସିଂହ, ସମାଜସେବୀ ସୁମନ୍ତ କୁମାର ଜେନା ଏବଂ ଉଦ୍ୟୋଗପତି ଦେବଜ୍ୟୋତି ଦାସ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବସ୍ତା,ଜଳେଶ୍ବର, ଭୋଗରାଇ,ବାଲିଆପାଳ ଓ ବାଲେଶ୍ବର ସଦର ବ୍ଲକ୍ ସହିତ ପୋଡ଼ଶୀ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକ୍ ଅଞ୍ଚଳରୁ ସହସ୍ରାଧିକ କାର୍ତ୍ତିକ ବ୍ରତଧାରୀ ମା ଓ ମାଉସୀ ଉପସ୍ଥିତ ରହି ବୋଇତ ବନ୍ଦାଣ ଓ ସୂର୍ଯ୍ୟପୂଜନରେ ଅଂଶଗ୍ରହଣ କରିବା ସହ ରାଇ ଦାମୋଦରଙ୍କ ଉଦ୍ଦେଶ୍ୟରେ ପାଳନ କରିଥିବା ମାସାଧିକ କାଳର ସମାପନ କରିଥିଲେ।ନୃସିଂହ ପ୍ରସାଦ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.