ବିଜେଡି ଛାଡିଲେ ସୁନନ୍ଦା, ଦଳ ଓ ବବିଙ୍କ ଉପରେ ଦୋଷ ଲଦି ନିଜ ଦୋଷ ଛଡାଉଛନ୍ତି ।

0 210

ଯାଜପୁର,୩୦/୧୦(ପିପିଟି): ଗତକାଲି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡିଛନ୍ତି । ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ନିର୍ବାଚନ ସମୟରେ ବିଜେଡି ଛାଡି ବିଜେପିରୁ ଟିକେଟ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ଏଥିରେ ସଫଳ ହୋଇ ନଥିଲେ । ହେଲେ ନିର୍ବାଚନର ପାଞ୍ଚ ମାସ ପରେ ସେ ଦଳ ଛାଡିଛନ୍ତି । ସେ ଦଳ ଛାଡିବା ପରେ ଗଣ ମାଧ୍ୟମରେ ବ୍ୟାପକ ପ୍ରଚାର ହେଉଥିଲା ବେଳେ ବରୀରେ କିନ୍ତୁ ଏହାକୁ ନେଇ ବିଜେଡି ଦଳରେ କିମ୍ବା ସାଧାରଣରେ ସେଭଳି ଚର୍ଚ୍ଚା ନାହିଁ । ଦଳ ଛାଡିବା ପରେ ସୁନନ୍ଦା ବିଜେଡିର ପରିଚାଳନା ଗତ ତ୍ରୁଟି ପ୍ରକାଶ କରିବା ସହିତ ଦଳର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଦୋଷ ଲଦିବାକୁ ଭୁଲି ନାହାନ୍ତି । ହେଲେ ସୁନନ୍ଦା ଯେ ନିଜ ଦୋଷ ଘୋଡାଇବାକୁ ଦଳ ଓ ବବିଙ୍କୁ ମୋହରା କରୁଛନ୍ତି ଏହା କିନ୍ତୁ ସ୍ପଷ୍ଟ ହୋଇଛି । ବର୍ତ୍ତମାନର ବିଧାୟକ ତଥା ସେତେବେଳର ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସାହାରାରେ ରାଜନୀତି କରି ବରୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ସୁନନ୍ଦା ଦାସ । ବିଜେଡି ସହିତ ଗୁପ୍ତ ମନ୍ତ୍ରଣା କରି ୨୦୧୯ ନିର୍ବାଚନରେ ଟିକେଟ ପାଇ ବିଶ୍ଵଙ୍କୁ ଛାଡି ଦେଇଥିଲେ । ନିଜର ବରୀରେ ସେଭଳି ଆଖିଦୃଶିଆ ସଂଗଠନ ନଥିଲେ ମଧ୍ୟ ବିଜୟୀ ହୋଇଥିଲେ । ଆଉ ତାଙ୍କ ବିଜୟ ପଛରେ ରହିଥିଲା ବବିଙ୍କ ଯୋଜନା ବଦ୍ଧ ରଣନୀତି । ନିର୍ବାଚନ ପରେ ସୁନନ୍ଦା ବିଜୟୀ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାମୀ ହିଁ ବରୀର ପ୍ରକୃତ ବିଧାୟକ ହୋଇଥିଲେ । ସବୁ କାମ ସ୍ୱାମୀ ଦେବେନ୍ଦ୍ର କରୁଥିଲା ବେଳେ ରବର ଷ୍ଟାମ୍ପ ହୋଇଥିଲେ ସୁନନ୍ଦା । ବବିଙ୍କ ସମର୍ଥନ ବେଶ ବଳଶାଳୀ କରିଥିଲା ଉଭୟ ସ୍ୱାମୀ ଦେବେନ୍ଦ୍ରଙ୍କୁ । ମାତ୍ର କିଛି ମାସ ପରେ ମନମାନି ଆରମ୍ଭ କରିଥିଲେ ଦେବେନ୍ଦ୍ର ଓ ସୁନନ୍ଦା । ନିର୍ବାଚନ ସମୟରେ ଦଳ ପାଇଁ ରାତିଦିନ ଏକ କରି କାମ କରିଥିବା କର୍ମୀଙ୍କୁ ଅଣଦେଖା କରି ନିଜର ସ୍ୱତନ୍ତ୍ର ଚାଟୁକାର ଗୋଷ୍ଠି ପ୍ରସ୍ତୁତ କରିଥିଲେ । ଅଣଦେଖା ହୋଇ ପଡ଼ିଥିବା କର୍ମୀ ବବିଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ବବି ମଧ୍ୟ ତାଗିଦ କରିଥିଲେ । ହେଲେ ନିଜ ମନମାନି ଛାଡି ନଥିଲେ ସୁନନ୍ଦା ଓ ଦେବେନ୍ଦ୍ର । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା ବରୀର ବିକାଶ ଧାରା ଠପ ହୋଇ ଯାଇଥିଲା । ହେଲେ ସୁନନ୍ଦାଙ୍କ ପକ୍ଷରୁ ବରୀ ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା କରି ସମ୍ମାନିତ ହେବାରେ ହେଳା କରି ନଥିଲେ ସୁନନ୍ଦା । ଅନ୍ୟପକ୍ଷରେ ଜାତି ରାଜନୀତିକୁ ମଧ୍ୟ ବେଶ ପ୍ରାଧାନ୍ୟ ଦେଇଥିଲେ ସୁନନ୍ଦା ଓ ତାଙ୍କ ସ୍ୱାମୀ । ଯାହା ବରୀର ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଫଳରେ ଦଳର ହଜାର ହଜାର କର୍ମୀ ବବିଙ୍କୁ ଭେଟି ଏହାର ନିରାକରଣ ଚାହିଁଥିଲେ । ହେଲେ ସେତେବେଳକୁ ସୁନନ୍ଦା ଓ ଦେବେନ୍ଦ୍ର ବବିଙ୍କ ଠାରୁ ଦୂରେଇ ତାଙ୍କ ବିରୁଦ୍ଧରେ ବିଶୋଦ ଗାର କରିବା ଆରମ୍ଭ କରିଥିଲେ । ଦଳ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିବା ପରେ କର୍ମୀ ବିଶ୍ୱରଞ୍ଜନଙ୍କ ସହିତ ଯୋଡି ହୋଇଥିଲେ । ବିଶ୍ଵବି ମନ ପରିବର୍ତ୍ତନ କରି ବିଜେଡି ଆଡ଼କୁ ଢଳିବା ଫଳରେ ବିଜେଡି ବିଶ୍ଵଙ୍କୁ ଦଳରେ ଗ୍ରହଣ କରିଥିଲା । ବିଶ୍ୱ ବିଜେଡି ରେ ସାମିଲ ହେବା ପରେ ପଞ୍ଚାୟତ ନିର୍ବାଚନରେ ବରୀ ବ୍ଲକ ମଧ୍ୟ ଗଠନ କରିଥିଲେ । ଫଳରେ ସୁନନ୍ଦାଙ୍କ ଲୋକପ୍ରିୟତା ପ୍ରମାଣିତ ହୋଇଯାଇଥିଲା । ଏହା ପରେ ଦଳ ଜନ ମତକୁ ଆଧାର କରି ତାଙ୍କୁ ଏକ ପ୍ରକାର ଦୁରେଇ ଦେଇଥିଲା । ଏହି ସମୟରେ ଆଗକୁ ଦଳ ତାଙ୍କୁ ଟିକେଟ ଦେବ ନାହିଁ ଜାଣି ବିଜେପି ସହିତ ସମ୍ପର୍କ ଯୋଡି ଥିଲେ । ଖୁବ ଚତୁରତାର ସହିତ ସେ ବିଜେପି ସହିତ ଯୋଗାଯୋଗ କରୁଥିଲେ ମଧ୍ୟ ବିଜେଡି ନେତୃତ୍ୱ ପାଖରେ ଏହି ଖବର ପହଞ୍ଚି ସାରିଥିଲା । ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ଦଳ ସୁନନ୍ଦାଙ୍କୁ ଟିକେଟ ନ ଦେଇ ବିଶ୍ଵଙ୍କୁ ଟିକେଟ ଦେଇଥିଲା । ଏବଂ ବିଶ୍ୱ ନିର୍ବାଚନରେ ୫୦ ହଜାରୁ ଅଧିକ ଭୋଟରେ ଜିତି ନିଜର ଓ ଦଳର ଲୋକପ୍ରିୟତାକୁ ପ୍ରମାଣିତ କରିଥିଲେ । ହେଲେ ଦଳ ଛାଡି ସୁନନ୍ଦା ନିଜ ଦୋଷ ଲୁଚାଇବାକୁ ଅନ୍ୟ ମୁଣ୍ଡରେ ଅଠା ବୋଳୁଛନ୍ତି । ରାଜନୀତିରେ ଅପାରଗତା ଦେଖାଇ ନିନ୍ଦିତ ହୋଇ ସାରିଥିବା ସୁନନ୍ଦା ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର କେବଳ ନିଜ ସୁରକ୍ଷା ପାଇଁ ଦଳ ଛାଡି ବିଜେପି ଶରଣକୁ ଯାଇଥିଲା ବେଳେ ଏହା ତାଙ୍କ କ୍ଷମତା ଲୋଭର ଆଉ ଏକ ନମୁନା ବୋଲି ଜିଲ୍ଲା ରାଜନୀତି ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.