ସିମୁଳିଆ,୧୧/୧୦:ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ ପକାଇଛି । ସୂଚନାରୁ ପ୍ରକାଶ ବିଦେଶରୁ ଧାମରାକୁ ରେଳ ଯୋଗେ ଆସୁଥିବା କୋଇଲାକୁ କୋଇଲା ମାଫିଆ ମାନେ ପୋଲିସକୁ ଚକମା ଦେଇ କମ ମୂଲ୍ୟରେ ମଣ୍ଡି ମାନଙ୍କରେ ବିକ୍ରି ହୋଇଥାଏ । ଏହି ବେପାର ବାସୁଦେବପୁର-ସିମୁଳିଆ ଅଞ୍ଚଳର ଜାମ୍ମୁଝାଡ଼ି,ମଇତାପୁର,ଅଡା, ଶ୍ୟାମସୁନ୍ଦରପୁର,ବାଲିଖଣ୍ଡ ଆଦି ସ୍ଥାନରେ ମଣ୍ଡି ଖୋଲାଯାଇ ବାହାରକୁ ଚାଲାଣ ହେଉଛି । ଏହାର ଟେର ସିମୁଳିଆ ପୋଲିସ ପାଉ ନ ଥିବା ଜଣାଯାଏ । ସେହିପରି ଆଜି ମଇତାପୁର ଛକ ନିକଟରେ ଏକ କୋଇଲା ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଓ କୋଇଲାକୁ ଜବତ କରି ଥାନାକୁ ଆଣିଥିଲେ । ଏହି ଗାଡ଼ିରେ ୪୦ବ୍ୟାଗରୁ ଉର୍ଦ୍ଧ୍ବ କୋଇଲା ଥିବାର ପୋଲିସ ସୂତ୍ରରୁ ପ୍ରକାଶ । ମାତ୍ର କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି । ଦୀର୍ଘଦିନ ଧରି ଏ ଅଞ୍ଚଳରେ ବେଆଇନ କୋଇଲା ବେପାର ଚାଲୁଥିଲେ ବି ପୋଲିସ କିପରି ଏହା ଜାଣି ପାରୁନାହିଁ ଯାହା ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣ ସନ୍ଦେହ ପ୍ରକଟ କରିଛି । ଏହି ଚଡାଉ ପରେ କୋଇଲା ମାଫିଆଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି । କିଏ ଏହି ବେଆଇନ କୋଇଲା ବେପାର କରୁଛି ତାହା ତଦନ୍ତ କଲେ ପ୍ରକୃତ ଆସାମୀ ପୋଲିସ ହାତରେ ଧରାପଡିବ ବୋଲି ଜଣାଯାଇଛି ।