ସୁବର୍ଣ୍ଣପୁର ,୦୪/୦୭(ପିପିଟି) : ମହାରାଷ୍ଟ୍ର ର ପୁଣେ ସହରରେ ଓଡ଼ିଶାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମର ବୁଦ୍ଧଦେବ ମେଣ୍ଡିଲି (୨୨) ବୋଲି ଜଣାଯାଇଛି। ସେ ଗ୍ରାମର ହିରାମଣି ମେଣ୍ଡିଲିଙ୍କ ସାନ ପୁଅ ଓ ଗତ ପ୍ରାୟ ତିନି ବର୍ଷ ହେଲା ପୁଣେ ସହରରେ ଜଣେ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଛି।ମିଳିଥିବା ସୂଚନାନୁସାରେ ଗତ ୧ ତାରିଖ ଦିନ କାମ କଲା ବେଳେ ସେ ଛାତ ଉପରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ପକ୍ଷରୁ ତାଙ୍କର ବଡ଼ଭାଇ ଓ ଅନ୍ୟ ଦୁଇଜଣ ବ୍ୟକ୍ତି ମହାରାଷ୍ଟ୍ରର ପୁଣେ ସହରକୁ ଯାଇଥିଲେ। ସେମାନେ ପହଞ୍ଚିବା ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ତାଙ୍କର ଶବ ଆଣିବାକୁ ସେମାନଙ୍କର ସମ୍ବଳ ନଥିବା ଜଣାପଡିଛି। ଜିଲ୍ଲା ଶ୍ରମ ବିଭାଗ ଏଥିପାଇଁ ଆବଶ୍ୟକ ସହଯୋଗ କରିବାକୁ ମୃତକଙ୍କ ପରିବାର ନିବେଦନ କରିଛନ୍ତି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ