ସୁବର୍ଣ୍ଣପୁର ,୦୮/୦୬(ପିପିଟି):ବହୁ ପ୍ରତୀକ୍ଷିତ ସୁବର୍ଣପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଗତକାଲି ଅର୍ଥାତ ୦୭ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସହ ବର ପିତାମାତାଙ୍କ ପ୍ରତିନିଧି ଭାବରେ ଘୋଡ଼ାଘାଟପଡ଼ା ର ପ୍ରଭାତ କୁମାର ବକ୍ସି (ବାବୁଲି), ଶିବାନୀ ବକ୍ସି ଦାୟିତ୍ଵ ନିର୍ବାହ କରୁଥିବା ବେଳେ କନ୍ୟା ପିତା ଙ୍କ ପ୍ରତିନିଧି ସୁରୂପ ରାମ କୃଷ୍ଣ ନଗର ର ଗୋପାଳ ପ୍ରାସାଦ ଭୁତ, ଅନିତା ଭୁତ ଦାୟିତ୍ଵ ନିଭେଇ ମହାପ୍ରଭୁ ଶିବ ପାର୍ବତୀ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସୁବର୍ଣ୍ଣପୁର ର ଜିଲ୍ଲା କୋଷାଗାର ରୁ ୧୦୮ ତୋଳା ର ସୁନା ନାଗମୂର୍ତ୍ତି ବାବା ଚନ୍ଦ୍ରଶେଖର ଙ୍କୁ ଦେବୋତ୍ତର ବିଭାଗ ପୋଲିସ ପ୍ରଶାସନ ଓ ଦେବୋତ୍ତର କମିଟି ପକ୍ଷରୁ କଡା ସୁରକ୍ଷା ରେ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିର କୁ ଅଣାଯାଇ ଯାତ୍ରା ର ପୂଜା ବିଧୂ ଆରମ୍ଭ କରାଯାଇଛି । ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ସମେତ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି । ଏଥିପାଇଁ ଗତ ୦୭ ତାରିଖ ଶୁକ୍ରବାର ଦିନ ପ୍ରଭୂ ଙ୍କ ମନ୍ଦିର ପ୍ରବେଶ, ୦୮ ତାରିଖ ରେ ଦେବନିମନ୍ତ୍ରଣ, ୦୯ ତାରିଖ ରେ ଅଳଙ୍କାର ଧାରଣ ବର ନିମନ୍ତ୍ରଣ, ଓ ୧୦ ତାରିଖ ବରାନୁଗମନ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ ପ୍ରଭୂ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ସହର ବାସୀ ଙ୍କୁ ସୁଯୋଗ ମିଳିବ l 12 ତାରିଖ ରାତି ପରେ ଶିବ ପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଯାତ୍ରା ପରିଚଳନା କମିଟି , ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି। ଏହି ଯାତ୍ରା ର ବିଶେଷ ଆକର୍ଷଣ ୧୦୮ ତୋଳା ର ସୁନା ନାଗ ମୂର୍ତି ଓ ଶିବ ପାର୍ବତୀ ଙ୍କ ସହିତ ସହର ର ସମସ୍ତ ଦେବା ଦେବୀ ଙ୍କୁ ମହଣ ମହଣ ରୂପା ରେ ନିର୍ମିତ ପାଲିଙ୍କି ରେ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଥାଏ l ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ଭକ୍ତ ଶ୍ରଦ୍ଧାଳୁ ପାଇଥାନ୍ତି । ଏବର୍ଷ ପ୍ରଥମ ଥର ପାଇଁ ବର ପିତା ଓ କନ୍ୟା ପିତା ଙ୍କ ପକ୍ଷ ରୁ ସହର ବାସୀ ଙ୍କୁ ଯାତ୍ରା ରେ ସାମିଲ୍ ପାଇଁ ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ପ୍ରୟାସ କରା ଯାଇଛି ଓ ଏଥି ପାଇଁ ପୂର୍ବରୁ ପ୍ରତି ପଡ଼ା ରେ କ୍ଳବ୍ ରେ ସଭା ସମିତି କରା ଯାଇଛି l କନ୍ୟା ପିତା ଓ ବର ପିତା ପରିବାର ଙ୍କ ସମସ୍ତ ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ଆଜି ଠାରୁ ଯାତ୍ରା ଶେଷ ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ