ଫୁଲ ଫୁଟେ ଡାଳେ ପ୍ରସରେ ସୌରଭ
ବୃକ୍ଷର ବଢାଏ ଶୋଭା….
ପାଇ ସେ ସୌରଭ ଉଡି ପ୍ରଜାପତି
ପୁଷ୍ପ ପାଶେ ହୁଏ ଉଭା….!!
ମଧୁପାନ କରି ଆପଣା ତୃଷା କୁ
ମେଣ୍ଟାଏ ଆନନ୍ଦେ ଅତି….
ମହୁ ମାଛି ମହୁ କରିଣ ସଂଗ୍ରହ
ସଞ୍ଚୟ ପଢ଼ାରେ ନିତି….!!
ଫୁଲରୁ ଫୁଲକୁ ଉଡି ପ୍ରଜାପତି
ସଞ୍ଚରେ ପରାଗ ରେଣୁ….
ଏଣୁ ଫଳ ହେବା ସମ୍ଭାବ ବୃକ୍ଷରେ
ପ୍ରକୃତି ରହସ୍ୟ ଜାଣୁ….!!
ମଣିଷ ପ୍ରାଣୀଟା ସ୍ବାର୍ଥ ସିଦ୍ଧ ପାଇଁ
ଫୁଲ କୁ ଛାଣ୍ଡାଇ ତୋଳେ…
କେବେ ପୂଜେ ନେଇ ଠାକୁର ସମୀପେ
କେବେ ପିନ୍ଧେ ନିଜ ଗଳେ…!!
ଫୁଲର ଶୋଭାରେ ହୋଇ ବିମୋହିତ
ପ୍ରେମିକା କୁ ନିଏ ଦେଇ….
ନିଜ ସ୍ଵାର୍ଥ ପାଇଁ ଫୁଲ ପଡେ ବଳି
ଏ କଥା ବୁଝଇ ନାହିଁ…!!
ଫୁଲ ମାଳ ପଡେ ଶବର ଦେହରେ
କେବେ ଶ୍ରଦ୍ଧାଞ୍ଜଳୀ ହୋଇ….
କେବେ ପଡେ ପୁଣି ବରକନ୍ୟା ଗଳେ
ବିବାହ ବନ୍ଧନ ପାଇଁ….!!
ଶୁଭ କାର୍ଯ୍ୟ ଅବା ପର୍ବ ପର୍ବାଣୀରେ
ଫୁଲରେ ସଜିତ ଘର…..
ମଞ୍ଚରେ ବିଭିନ୍ନ ସୁବାସିତ ପୁଷ୍ପ
ଦିଶଇ ଭାରି ସୁନ୍ଦର….!!
ଉପହାର ପାଇଁ ଫୁଲର ଡାଲିଆ
ଦିଏ କିଏ ଫୁଲ ତୋଡା…..
ସମ୍ପର୍କର ସେତୁ ବଢାଏ ସୁମନ
ଫୁଲ ତ ସଭିଙ୍କୁ ଲୋଡା….!!
ଆପଣା ସ୍ବାର୍ଥରେ ଦିଏ ଜଳାଞ୍ଜଳି
ପର ଉପକାରୀ ଫୁଲ….
ମଣିଷ କେବଳ ନେବାରେ ଜାଣିଛି
ଦେବାର ନଜାଣେ ମୂଲ….!!
ନାରୀର ଗଭାରେ ଫୁଲର ସୁଗନ୍ଧ
ବାସୁ ଥାଏ ମହ ମହ…..
ଚଉଠି ରାତିରେ ଫୁଲର ପସରା
ମିଳନର କାମ ମୋହ….!!
ବନେ ଉପବନେ ଲତା ଗୁଳ୍ମ ଯେତେ
ଘାସରେ ଫୁଟଇ ଫୁଲ….
ସକଳ ଋତୁରେ ବିକଶେ କୁସୁମ
ଫୁଲ ଟି ଅମୂଲ ମୂଲ….!!
କବି କେଶବ ଚନ୍ଦ୍ର ନାୟକ
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭