ବ୍ରହ୍ମପୁର,୨୮/୦୫(ପିପିଟି):ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଗଞ୍ଜାମ ମାଟିର ଲଢୁଆ ପୁଅ, ବିପ୍ଳବୀ କମ୍ୟୁନିଷ୍ଟ, ଶ୍ରମଜୀବି ଜନଗଣଙ୍କ ସାଲିସ ବିହୀନ ସାଥୀ,ଯୁବ ପଲିଟିବ୍ୟୁରୋ ସଦସ୍ୟ ତଥା ଓଡ଼ିଶା ରାଜ୍ୟ ସମ୍ପାଦକ କମ୍ରେଡ ଶିବରାମଙ୍କ ୩ୟ ମୃତ୍ୟୁ ବାର୍ଷିକୀ ଅବସରରର ଗ୍ରାମାଞ୍ଚଳର ଶ୍ରମିକଙ୍କ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ବ୍ରହ୍ମପୁର ପ୍ରକାଶମ ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରରେ ସି.ପି.ଆଇ ର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସି.ପି.ଆଇ(ଏମ୍ ଏଲ୍) ନ୍ୟୁଡେମୋକ୍ରାସି ର ପ୍ରତାପ ପ୍ରଧାନ, ଚିତ୍ରଶିଳ୍ପୀ କାରିଗର ୟୁନିଅନ ର ଜିଲ୍ଲା ସଭାପତି ଦିଗାମ୍ବର ଜେନା, ବିଶିଷ୍ଟ ଲେଖିକା ବିଦ୍ୟୁପ୍ରଭା ରଥ,ବରିଷ୍ଠ ଆଇନଜୀବି ତଥା ସମାଜ ବିଜ୍ଞାନୀ ଭଗବାନ ସାହୁ,ଟିୟୁସିଆଇ ନେତା ରାମଚନ୍ଦ୍ର ବାଡତ୍ୟା, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ନେତ୍ରୀ ପେଦିନୀ ପାର୍ବତୀ ଆଜି ମଞ୍ଚାସୀନ ଥିଲେ । ପାର୍ଟିର ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବଙ୍କ ଅଧ୍ୟକ୍ଷତାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ମାଟିର ଲାଲ୍ ଦୁର୍ଗରୁ ଛାତ୍ର ଅବସ୍ଥାରୁ ମାର୍କସ ଓ ଲେନିନଙ୍କ ବିଚାରଧାରା ରେ ଅନୁପ୍ରାଣିତ ହୋଇ ସାମାଜିକ ଆନ୍ଦୋଳନ ସହ ଜଡ଼ିତ ହୋଇଥିଲେ । ବ୍ରହ୍ମପୁର ଆସି ବିଶିଷ୍ଟ ବାମପନ୍ଥୀ ରାଜନେତା ଅବିର ପାଢ଼ୀ, ଅଧ୍ୟକ୍ଷ ସୁବାଷ ରାଉତଙ୍କ ସହ ମିଶି ଜାତୀୟ ବିପ୍ଳବ ବାହିନୀ ଗଠନ କରି ବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ କରିବା ସହ ବିପ୍ଳବୀ କମ୍ୟୁନିଷ୍ଟ ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ୨୦୨୧ କରୋନାରେ ତାଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଆଗାମୀ ପିଢ଼ି ପାଇଁ ନୂତନ ଆଶା ସଂଚାର କରାଇଛନ୍ତି । ସେଥିପାଇଁ ସେ ଅମର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ମୃତ୍ୟୁ ବାର୍ଷିକୀରେ ନେତାଙ୍କ କେବଳ ଜୟଗାନ କରି କାର୍ଯ୍ୟ ସାରିବା ବଦଳରେ ସେ ଯେଉଁ ରାସ୍ତାରେ ବିଶ୍ୱାସୀ ଥିଲେ ସେ ସ୍ବପ୍ନକୁ ସାକାର କରିବା ଭବିଷ୍ୟତ ପିଢ଼ି ପାଇଁ ଏକ ଆହ୍ବାନ। ଗ୍ରାମାଞ୍ଚଳର ଶ୍ରମିକଙ୍କ ଭବିଷ୍ୟତ ଶୀର୍ଷକ ବିଷୟବସ୍ତୁରେ ଆଲୋଚନା କରି ଆନ୍ଦୋଳନକୁ ଅଧିକ ପ୍ରସାରିତ କରାଯାଇଛି। ଆଜି ଗ୍ରାମାଞ୍ଚଳର କୃଷି ଶ୍ରମିକ,ମନରେଗା ଶ୍ରମିକ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କ ହାତରେ କାମ ଯନ୍ତ୍ର ଓ କାଗଜ ବାଘ ଭୟଙ୍କର ବିପଦ ସୃଷ୍ଟି କରିଛି । ଏହା ବିରୁଦ୍ଧରେ ଗ୍ରାମାଞ୍ଚଳର ଶ୍ରମିକଙ୍କ ଏକତା, ସଂଗଠନ ଓ ସଂଘର୍ଷ ବଳରେ ରାଜନୈତିକ ଅଧିକାର ହାସଲ କରିବା ପାଇଁ ବାମପନ୍ଥୀ ରାଜନୈତିକ ପାର୍ଟି ଓ ଶ୍ରମଜୀବି ଜନଗଣ ଙ୍କ ହାତରେ ଏକ ପ୍ରମୁଖ ଆହ୍ବାନ ହୋଇଛି। ସମସ୍ତଙ୍କ ହାତକୁ ରୋଜଗାର ପାଇଁ ସଂଘର୍ଷର ଜୁଆର ସୃଷ୍ଟି ବିନା ଫାସିବାଦୀ ଓ ପୁଞ୍ଜିବାଦୀ ଶକ୍ତିକୁ ପରାସ୍ତ କରିବା ଅସମ୍ଭବ ବୋଲି ସମାଜ ବିଜ୍ଞାନୀ ତଥା ବରିଷ୍ଠ ଆଇନଜୀବି ଭଗବାନ ସାହୁ ମତପ୍ରକାଶ କରିଥିଲେ। ସମାନ କାମକୁ ସମାନ ମଜୁରି ମିଳୁନଥିବା ବେଳେ ମନରେଗା ଶ୍ରମିକଙ୍କ ପ୍ରତି ଘୋର ଅନ୍ୟାୟ କରିବା ଏବଂ ସର୍ବନିମ୍ନ ମଜୁରି ଠାରୁ କମ୍ ପ୍ରଦାନ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ପରିଚୟ ସୁସ୍ବଷ୍ଟ ବୋଲି ଲଢୁଆ ମହିଳା ନେତ୍ରୀ ପି ପାର୍ବତୀ ମତ ଉପସ୍ଥାପନ କରିବା ସହ ସର୍ବନିମ୍ନ ମଜୁରି ଠାରୁ କମ୍ ମଜୁରି ପ୍ରଦାନ କଲେ ଦୁର୍ବାର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୁକ୍ତା ନାୟକ,ନିଳେନ୍ଦ୍ରୀ ବେହେରା,ଯଶୋଦା ନାୟକ, ଶାନ୍ତି ନାୟକ,ଶୁଶାନ୍ତ ଦାଶ, ସାଗର ନାୟକ, ଯୁଧିଷ୍ଠିର ଦାସ, ଯାମିନୀ ଦାଶ,ରଶ୍ମିତା ଦାଶ, ହାର ନାହକ ଆଦି ବହୁ ନେତୃବୃନ୍ଦ ଯୋଗଦେଇଥିଲେ।