***ପ୍ରଭାତ***

0 129

ପ୍ରଭାତ ଆସିବ ବୋଲି ବିହଙ୍ଗ ସଂଗୀତ ବୋଲି
ସ୍ବାଗତ ରଚି
ନାନା କୋଳାହଳ କରି ନୃତ୍ୟନ୍ତି ବୃକ୍ଷକୁ ଘେରି
ଆନନ୍ଦେ କିଛି
କ୍ଷଣ କ୍ଷଣ ଚାହିଁ ଦିଗନ୍ତ
ବାଳଭାନୁ ଉଭାହେବେ ପୂର୍ବ ଦିଗନ୍ତ….।୧।
ରକ୍ତିମ ବର୍ଣ୍ଣେ ସବିତା ଆସିବା ଜାଣି ବାରତା
ସ୍ବାଗତ ପାଇଁ
କଳିକା ସୁମନ ଯେତେ ବିକଶି ସୁଗନ୍ଧ କେତେ
ପ୍ରସାରି ତହିଁ
ମନ୍ଦ ମଳୟରେ ମିଶ୍ରିତ
ହରେ ନିଦ୍ରା ଜନ ମନ ବିଷାଦ ଚିତ୍ତ….।୨।
ମଧୁପ ଶ୍ରେଣୀ ସକଳ ପୁଷ୍ପେ ବସି ଦଳ ଦଳ
ମଧୁ ଆସ୍ପାଦେ
ଗୁଣୁ ଗୁଣୁ ଗୀତ ଗାଇ ବିରହୀ ହୃଦୟ ଛୁଇଁ
ଦ୍ରବି ବିଷାଦେ
କରନ୍ତି ବାରତା ପ୍ରଚାର
ମନ୍ମଥ ବେଦନା କ୍ଳେଶ ବଳି ଅପାର….।୩।
ପ୍ରଭାତେ ପାହାଡ ଚୁଡା ମ୍ଳାନେ ହୋଇଛନ୍ତି ଛିଡ଼ା
କରି ପ୍ରତୀକ୍ଷା
କର ଯୋଡି ସ୍ବାଗତେ ରତ କର ସ୍ପର୍ଶେ ରଜନୀ ହତ
କର ହେ ରକ୍ଷା
କର ବାଜି ବନାନୀ ଧନ୍ଯ
ସକଳ ଶକ୍ତିର ମୂଳ ସୁଧାଂଶୁ ପୁଣ….।୪।
ପ୍ରଭାତ ଆସିବା ଜାଣି କୁକୁଟ ଡାକଇ ପୁଣି
ରାବଇ କାକ
ମନ୍ଦିରରୁ ଶଙ୍ଖ ଧ୍ୱନି ଭାସିଆସେ ପ୍ରାତେ ପୁଣି
ଜାଗ୍ରତ ଲୋକ
କରି ଶଯ୍ୟା ତ୍ଯାଗ ତୁରିତ
କର୍ମେ ତତ୍ପରତା ପାଇଁ ଶୁଭ ମୁହୁର୍ତ୍ତ…।୫।
କରି ସ୍ନାନ କେଉଁ ବାଳା ହଳଦୀ ପ୍ରଲେପ ବୋଳା
ତନୁକୁ ଚାହିଁ
ମନ୍ଦ ମନ୍ଦ ଗତି କରି ଲଜ୍ୟାଶୀଳା ମୁଖ ଧରି
ରକ୍ତିମ କଇଁ
ଦିବସେ କି ଚାରୁ ଚନ୍ଦ୍ରମା
ଓହ୍ଲେଇ ଆସିଛି ସ୍ବର୍ଗୁ କି ଅନୁପମା….।୬।
ଚରଣ ଯୁଗଳ ପଦ୍ମ ପାଉଁଜି ମୃଦୁ ଶବଦ
କର୍ଣ୍ଣ ପ୍ରମୋଦ
ଝିନ ବସ୍ତ୍ର ଅଙ୍ଗେ ଜଡ଼ି ଅନଙ୍ଗ ଯୌବନେ ଭିଡ଼
ତନୁ ସଂପଦ
ଶୋଭାବନ ନାହିଁ ମର୍ତ୍ତ୍ୟରେ
ଧାତା ଭିଆଇଛି ଯତ୍ନେ ବାଳା ସତ୍ବରେ…..।୭।
ସବୁ ଋତୁରେ କୁସୁମ ନଫୁଟେ କାଳ ବିଷମ
ହେବାରୁ ସିନା
ସବୁ ଊଷା କାଳେ ପୁଷ୍ପ ନହୁଏ ବିକଚ ମୁଖ
ସବିତା ବିନା
ନବ ନବୀନା କି ସୁମନ
ସବୁ ଋତୁ ସବୁ କାଳେ ବିକଶେ ପୁଣ…।୮।
କେଉଁ ରମଣୀ ସିନାନ କରି କରଇ ରନ୍ଧନ
ପ୍ରାଭାତ ହେତୁ
ଇଷ୍ଟଙ୍କୁ କରି ପୂଜନ ସୂର୍ଯ୍ୟଙ୍କୁ ଜଳ ତର୍ପଣ
ଉଠି ପ୍ରଭାତୁ
ହସ୍ତ ଯୋଡି ଅଗ୍ନି ଦେବଙ୍କୁ
ବିଜେ ନାରୀରତ୍ନ ମଣି ପାକଶାଳାକୁ….।୯।
ଊଷାକାଳ ଉପଗତ ହେବାରୁ ପ୍ରାଣୀ ଜଗତ
ଧ୍ବନିକୁ ଛାଡି
କୋଳାହଳ ପକ୍ଷୀକୁଳ ନୀଡ ତ୍ଯାଗିଣ ଚଞ୍ଚଳ
ଆଧାର ଲୋଡି
ଯେ ଯାହାର କାର୍ଯ୍ୟରେ ବ୍ୟସ୍ତ
ଜୀଇଁବାର ରାହା ଏହି ସୁଗମ ପଥ….।୧୦।

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.