ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

0 252

ମାଲକାନଗିରି, ୦୬/୦୧(ପିପିଟି): ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପୋଟେରୁ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପୀତବାସ ସେଠୀ, ପୋଟେରୁ ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ସରୋଜ କୁମାର ସାହୁ, ମାଟିବନ୍ଧ ବିଭାଜନ ଚିତ୍ରକୋଣ୍ଡା, ଅଧିକ୍ଷଣ ଯନ୍ତ୍ରୀ, ରମାକାନ୍ତ ପାତ୍ର ଓ ପୋଟେରୁ କେନାଲ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ନରେନ୍ଦ୍ର ସୀଠା ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୧୬ ରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ପାଳନ ହେବ। ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୪ ଜାନୁଆରୀରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଜାନୁଆରୀ ୧୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପାଣି ପଞ୍ଚାୟତ ପକ୍ଷ ପାଳନ ନେଇ ଏକ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରାଯିବ । ଏହା ୨୪ ଜାନୁଆରୀ ପର୍ଯ୍ୟନ୍ତ ଜିଲ୍ଲାର ୪ଟି ଜଳ ବିଭାଜନ ଅଞ୍ଚଳ ଯଥା ପୋଟେରୁ ଜଳସେଚନ ବିଭାଜନ, ବାଲିମେଳା, ପୋଟେରୁ କେନାଲ ବିଭାଜନ, ଏମଭି – ୭୯, ମାଟିବନ୍ଧ ବିଭାଜନ, ଚିତ୍ରକୋଣ୍ଡା ଓ କ୍ଷୁଦ୍ର ଜଳସେଚନ ବିଭାଜନ ମାଲକାନଗିରିରେ ଏହା ପରିଭ୍ରମଣ କରିବ । ସୂଚନା ଥାଉ କି ଜିଲ୍ଲାରେ ସର୍ବମୋଟ ୨୩୨ ଗୋଟି ପାଣି ପଞ୍ଚାୟତ ରହିଛି । ସେହିପରି ୧୭ ଜାନୁଆରୀରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ। କୃଷି, ପଶୁପାଳନ ଓ ପ୍ରାଣୀ ଚିକିତ୍ସା, ଜଙ୍ଗଲ ଓ ମୃତ୍ତିକା ସଂରକ୍ଷଣ, ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ ( ନାବାର୍ଡ), ମତ୍ସ୍ୟ, ଉଦ୍ୟାନ, ସେଚାଞ୍ଚଳ ଉନ୍ନୟନ ବିଭାଗ ଓ ଉଠା ଜଳସେଚନ ବିଭାଗର ପାଣି ପଞ୍ଚାୟତ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପର ପ୍ରଦର୍ଶନୀ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଦିବସରେ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗ ଅଧୀନସ୍ଥ ସମସ୍ତ ବିଭାଗର କର୍ମଚାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.