କୋଦଳା,୨୯/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବର ଗାଁ ଗ୍ରାମର ସୁନୀଲ ନାହାକକୁ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ କାହିଁକି ହତ୍ୟା କରାଗଲା କାରଣ ଅସ୍ପଷ୍ଟ ରହିଛି । ସୁନୀଲ ନାହାକ ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ରହିଛି ଅନେକ ମାମଲା,ପୂର୍ବରୁ ଆସ୍କା ଅଞ୍ଚଳରେ ହନୁମାନ ପଇସାକୁ ନେଇ ଡବଲ ମର୍ଡର କେସରେ ସମ୍ପୂର୍କ୍ତ ଥିବା ବେଳେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋର ଚାଲାଣ, ଡକାୟତି, ସୁପାରୀ କିଲିଂ ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ପୋଲିସ ନିକଟରେ ସୁନୀଲ ଫେରାର ଥିବା ବେଳେ,ଆଜି କୋଦଳା ଥାନା ଦାନପୁର ଗ୍ରାମକୁ କାହିଁକି ଆସିଥିଲା,କିଏ ଡାକିଥିଲା, ଉଦ୍ଦେଶ୍ୟ କଣ ଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଗତକାଲି ଦାନପୁର ଗଣେଶ ମେଢ଼ର ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୋଜି ଖାଇ ବସିଥିବା ବେଳେ ହଠାତ ଏକାଧିକ ବ୍ୟକ୍ତି ଏକ ଲୁହା ରଡ଼ ରେ ସୁନୀଲର ପଛ ପଖାକୁ ଶକ୍ତ ଆଘାତ ଦେବା ସହିତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ମୁଣ୍ଡକୁ ଏକ ପଥର ଛେଚି ହତ୍ୟା କରିଥିଲେ । ସଙ୍ଗେ ସଙ୍ଗେ ଗ୍ରାମ ପୁରୁଷ ଶୁନ୍ୟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦାରଖ ଆରମ୍ଭ କରି ଦାନପୁର ଗ୍ରାମର ଚତୁର୍ପାଶ୍ୱ ସିଲ କରିଦେଇଥିଲେ ଏବଂ ଏଥିରେ ସମ୍ପୃକ୍ତ ସେହି ଗ୍ରାମର ଦୁଇଜଣ ମିଟୁ ପ୍ରଧାନ ଓ ପ୍ରଦୀପ ଖଟୁଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି, ଅଧିକ ଅନୁସନ୍ଧାନ ଜାରି ରହିଥିବାରୁ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇନାହିଁ ।
ଏହା ଏକ ସୁପରିକଳ୍ପିତ ପ୍ରାୟୋଜିତ ହତ୍ୟାବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଏନ୍ୟ ଜଣେ ନେତା ମଧ୍ୟ ଆହତ ହୋଇଥିବା ଶୁଣିବାକୁ ମିଳୁଛି ।ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ରାଜନୀତି ଶତ୍ରୁତାକୁ ନେଇ ବହୁଥର ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିବାର ନଜିର ରହିଛି । ସାଧାରଣରେ ଚର୍ଚ୍ଚା ଶିକାର କରିବାକୁ ଆସି ନିଜେ ଶିକାର ବନିଗଲା ସୁନୀଲ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)