ପୋଲସରା,୨୬/୦୮ପିପିଟି): ଶୁକ୍ରବାର ଦିନ ପୁରୁଷୋତ୍ତମପୁର ନିକଟସ୍ଥ ତାରାତାରିଣୀ ମନ୍ଦିର ଠାରେ ଥିବା ଦିଗନ୍ତ ବିଶ୍ରାମ ଗାର ଠାରେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ସାକ୍ଷାତ କରିବା ପାଇଁ ଯିବା ବେଳେ ଗୋଟିଏ ଯାତ୍ରୀବାହୀ ବସ ର ରେଡିଏଟର ଫାଟି ଯିବାରୁ ୫ ଜଣ ମହିଳା ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚୀବ ତଥା ୫ ଟି ସଚିବ ଭି କେ ପାଣ୍ଡିଆନ ଶୁକ୍ରବାର ଠାରୁ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଶୁକ୍ରବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଗୋଟିଏ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ ଘଣ୍ଟା ସମୟରେ ତାରାତାରିଣୀ ମନ୍ଦିର ନିକଟ ରେ ଥିବା ଦିଗନ୍ତ ବିଶ୍ରାମ ଗାର ଠାରେ ୪୫ ମିନିଟ ଅବସ୍ଥାନ ସମୟ ରେ ପାଣ୍ଡିଆନ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ଥିଲା। ଏଣୁ ପୋଲସରା ବ୍ଳକ ଅନ୍ତର୍ଗତ ଜକର ଗ୍ରାମ ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଚିକ୍ ମିକ୍ ଯାତ୍ରୀବାହୀ ବସରେ ତାରାତାରିଣୀ ଯାଉଥିଲେ। ବସ୍ ଟି ପୋଲସରା ରୁ ତାରାତାରିଣୀ ଯିବା ସମୟରେ ମାର୍ଦ୍ଦା ମନ୍ଦିର ନିକଟ ରେ ବସ୍ ର ରେଡିଏଟର ଫାଟି ଯିବାରୁ ସେଥିରୁ ନିର୍ଗତ ଗରମ୍ ପାଣି ଛିଟିକି ପଡିଯିବାରୁ ବସ୍ ର ବନେଟ ଉପରେ ବସିଥିବା ପପିନି ଜେନା , ସୁନ୍ଦରୀ ସାମନ୍ତରା , ତନୁ ସାହୁ, ବିଷ୍ଣୁ ପ୍ରଧାନ ଏବଂ ଝୁଲି ପରିଡା ଆହତ ହୋଇଛନ୍ତି। ଆହତ ମାନଙ୍କ ର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଥିବା ଜଣାପଡିଛି। ପୋଲସରା ଅଞ୍ଚଳରେ ବହୁ ସଂଖ୍ୟକ ପୁରାତନ ତଥା ଫିଟନେସ ନଥିବା ଯାତ୍ରୀବାହୀ ବସ୍ ଚାଲୁଥିବା ରୁ ବାରମ୍ବାର ଏମିତି ଦୁର୍ଘଟଣା ଘଟିବା ସାଙ୍ଗକୁ ଧନ ଜୀବନ ହାନି ଘଟୁଛି। ଏ ସମ୍ପର୍କରେ ଉଭୟ ପରିବହନ ଓ ଆରକ୍ଷୀ ବିଭାଗ ର ଅଧିକାରୀ ମାନେ ସମ୍ପୂର୍ଣ ଅବଗତ ଥିଲେ ମଧ୍ୟ ନିରବତା ଅବଲମ୍ବନ କରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏଥି ସହିତ ଭବିଷ୍ୟତ ରେ ଏମିତି ଦୁର୍ଘଟଣା କୁ ଏଡ଼ାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହେଉଛି।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା