ଗଞ୍ଜାମ ଜିଲ୍ଲାରେ ବିରୋଧିଦଳଙ୍କ ସ୍ଥିତି ଦୁର୍ବଳ।

0 1,358

ବ୍ରହ୍ମପୁର,୦୯/୦୭(ପିପିଟି): ଓଡିଶାର ରାଜନୀତିରେ ଗଞ୍ଜାମ ଜିଲ୍ଲାର ଭୂମିକା ଅଗ୍ରଣୀ। ୨୦୦୦ ଠାରୁ ୨୦୨୩ ମଧ୍ଯରେ ଗଞ୍ଜାମ ଜିଲ୍ଲାର ରାଜନୀତିରେ ବିରୋଧିଦଳର ସ୍ଥିତି ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସାଂଗଠନିକ ଶକ୍ତି ସୁଦୃଢ ହୋଇଛି। ୨୦୦୦ ଠାରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାର ରହିଥିବାବେଳେ ୨୦୦୯ ରୁ ୨୦୧୪ ବିଜେଡି ଓ ବାମପନ୍ଥୀ ମେଣ୍ଟ ରହିଥିଲା। ୨୦୧୪ ଠାରୁ ବିଜେଡି ଏକୁଟିଆ ନିର୍ବାଚନ ଲଢି ନିଜର ଶକ୍ତି ଦେଖାଇଛି । ୨୦୦୦ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରୁ ଜଗନ୍ନାଥ ପ୍ରସାଦରେ କଂଗ୍ରେସର ସୀମାଞ୍ଚଳ ବେହେରା, ସୋରଡାରୁ କଂଗ୍ରେସର ଉଷାରାଣୀ ପଣ୍ଡା, କବିସୂର୍ଯ୍ୟନଗର ରୁ ସିପିଆଇ ପ୍ରାର୍ଥୀ ନିତ୍ଯାନନ୍ଦ ପ୍ରଧାନ ଓ ଛତ୍ରପୁର ଆସନରୁ ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ବିଜୟୀ ହୋଇଥିବାବେଳେ ଅନ୍ଯ ସବୁ ଆସନରେ ବିଜେଡି ବିଜୟୀ ହୋଇଥିଲା। ୨୦୦୪ ସାଧାରଣ ନିର୍ବାଚନରେ ଛତ୍ରପୁର ଆସନରୁ ସିପିଆଇ ର ଏନ୍ ନାରାୟଣ ରେଡି,ଗୋପାଳପୁର ଆସନରୁ କଂଗ୍ରେସର ଡା ତ୍ରିନାଥ ବେହେରା, ଆସିକାରୁ ସ୍ବାଧୀନ ପ୍ରାର୍ଥୀ ସରୋଜ କୁମାର ପାଢୀ ଓ ସୋରଡାରୁ ବିଜେପିର କିଶୋର ଚନ୍ଦ୍ର ସିଂଦେଓ ବିଜୟୀ ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ଛତ୍ରପୁର ଆସନରୋ ସିପିଆଇ ର ଆଦିକନ୍ଦ ସେଠୀ ଓ ସାନଖେମୁଣ୍ଡି ଆସନରୁ କଂଗ୍ରେସର ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିରୋଧିଦଳ ଶୂନ। ୨୦୧୯ ସାଧାରଣ ନିର୍ବାଚନରେ କେବଳ ସାନଖେମୁଣ୍ଡି ଆସନରୁ କଂଗ୍ରେସର ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ କ୍ଷେତ୍ରରେ ବିଶେଷ ଭାବରେ ସିପିଆଇ ଓ କଂଗ୍ରେସ ର ସଂଗଠନ ଦୁର୍ବଳ ହୋଇଛି। ବିଜେପି ସଂଗଠନ ବଢିଛି। ସିପିଆଇ ଓ କଂଗ୍ରେସର ନେତା ଓ କର୍ମୀ ପର୍ଯ୍ଯାୟ କ୍ରମେ ବିଜେଡି ଓ ବିଜେପି ମୁହାଁ ହୋଇଛନ୍ତି। କଂଗ୍ରେସ ନେତୃତ୍ବ ଚାହିଁଲେ ଗଞ୍ଜାମ ଜିଲ୍ଲାର ୫ ରୁ ୬ଟି ବିଧାନସଭା କ୍ଷେତ୍ରରେ ସଂଗଠନକୁ ସଜାଡି ବିଜେଡିର ବିକଳ୍ପ ହୋଇପାରିବ। କିନ୍ତୁ ସିପିଆଇ ପୂର୍ବ ସ୍ଥିତିକୁ ଫେରିବା କାଠିକର ପାଠ। ୨୦୦୪ ପରେ ସିପିଆଇ ନିତ୍ୟାନନ୍ଦ ପ୍ରଧାନଙ୍କ ବିକଳ୍ପ ନେତୃତ୍ବକୁ ସୃଷ୍ଟି କରିପାରିଲା ନାହିଁ। ୨୦୦୪ ପରେ ପରେ ସିପିଆଇ ଏନ୍ ନାରାୟଣ ରେଡି,ଶ୍ରୀହର୍ଷ ରଥ,ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ଭଳି ନେତାଙ୍କୁ ଜିଲ୍ଲା ସମ୍ପାଦକ ଦାୟୀତ୍ବ ଦେଇଥିଲେ ହୁଏତ ସଂଗଠନର କିଛି ମାତ୍ରାରେ ସଂଗଠନର ଅବକ୍ଷୟରୁ ରୋକା ଯାଇ ପାରିଥାନ୍ତା ବୋଲି ମତ ପ୍ରକାଶ ପାଉଛି। ସିପିଆଇ ଦୀର୍ଘ ବର୍ଷ ଧରି ପ୍ରକାଶ ପାତ୍ରଙ୍କୁ ସମ୍ପାଦକ ପଦରେ ଦାୟୀତ୍ବ ଦେଇ କାର୍ଯ୍ଯ ଶେଷ କରିଦେଇଛି। ବିଜେପି ସଂଗଠନ ଅଭିବୃଦ୍ଧି ଘଟିଥିଲେ ମଧ୍ଯ ଦଳରେ ଗୋଷ୍ଠୀ କନ୍ଦଳ ସହିତ ପୁରୁଣା ତଥା ମୂଳ ନେତା ମାନଙ୍କୁ କୋଣଠେସା ଭଳି ଅବସ୍ଥା ଦେଖାଦେଇଛି। ୨୦୧୯ ନିର୍ବାଚନ ବେଳେ ବିଜେପି ଆମଦାନୀ ନେତାଙ୍କୁ ଟିକେଟ ଦେଇଥିଲା। ପୋଲସରା କଂଗ୍ରେସରୁ ଗୋକୁଳାନନ୍ଦ ମଲ୍ଲିକ, ସୋରଡାରୁ କଂଗ୍ରେସରୁ ନୀଳମଣି ବିଷୋୟୀ,କବିସୂର୍ଯ୍ୟନଗର ବିଜେଡିରୁ ରଞ୍ଜନ କୁମାର ପୋଲେଇ, ଆସିକା ବିଜେଡିରୁ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଚିକିଟି କଂଗ୍ରେସରୁ ମନୋରଞ୍ଜନ ଦ୍ଯାନ ସାମନ୍ତରା, ଛତ୍ରପୁର ବିଜେଡିରୁ ପ୍ରଶାନ୍ତ କୁମାର କର ପ୍ରମୁଖ ବିଜେପିରେ ଯୋଗ ଦେଇ ଟିକେଟ ପାଇଥିଲେ। ୨୦୦୦ ପର ଠାରୁ ବିଜେଡିରୁ ଯାଇଥିବା ନେତା କିଏ ସଫଳ ହୋଇନାହାଁନ୍ତି । ପୂର୍ବତନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଏବଂ ତାଙ୍କ ସହଧର୍ମିଣୀ ପୂର୍ବତନ ସାଂସଦ କୁମୁଦିନି ପଟ୍ଟନାୟକ ୨୦୦୪ ପରଠାରୁ ଦୁର୍ବଳ ହେଲେ। ପୂର୍ବତନ ମନ୍ତ୍ରୀ ହରିହର ସ୍ବାଇଁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଡା ପ୍ରିୟାଶୁଂ ପ୍ରଧାନ,ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଟିକେଟ କଟିଥିଲେ ମଧ୍ଯ ବିଜେଡି ଉପରେ ପ୍ରଭାବ ପଡି ନାହିଁ। ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ବିଜେପି ରେ ସାମିଲ ହୋଇଥିଲେ ମଧ୍ଯ ବିଜେଡି ଉପରେ ପ୍ରଭାବ ପଡିନାହିଁ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଶକ୍ତିଶାଳୀ ଓ ବିଦ୍ବାନ ନେତା ହୋଇଥିଲେ ମଧ୍ଯ ଗଞ୍ଜାମ ଜିଲ୍ଲାରେ ନବୀନଙ୍କ ଗଡ ଭାଙ୍ଗିବାରେ ବିଫଳ ହୋଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି। ବିଧାୟକ ଶ୍ରୀ ପାଣିଗ୍ରାହୀ ଏପର୍ଯ୍ୟନ୍ତ କୌଣସି ଦଳରେ ଯୋଗ ଦେଇ ନାହାଁନ୍ତି। ନିଜର ଜନସମ୍ପର୍କ ଜାରି ରଖିଛନ୍ତି। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ସମସ୍ତଙ୍କ ନଜର ସେ ବିଜେଡିର ଗଞ୍ଜାମ ଜିଲ୍ଲାରେ ସାଂଗଠନିକ ସ୍ଥିତିକୁ ଚ୍ଯାଲେଞ୍ଜ ଦେବେ ନା ଅନ୍ଯ ନେତାଙ୍କ ଭଳି ସମଦଶା ହେବ ତାହା ସମୟ ହିଁ କହିବ। ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ଟିକେଟ ବିଜେଡି କାଟିବ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଯଦି ବିଜେଡି ବିଧାୟକଙ୍କ ଟିକେଟ କଟିଲେ ସେମାନେ ନୀରବ ରହିବେ ନା ଅନ୍ଯ ବିକଳ୍ପ ଦେଖିବେ ସମୟକୁ ଅପେକ୍ଷା। ବିଜେଡିର ଟିକେଟ ବଣ୍ଟନ ଉପରେ ବିଜେପି କେନ୍ଦ୍ର ନେତୃତ୍ୱଙ୍କ ନଜର ରହିଛି। ଗଞ୍ଜାମ ଜିଲ୍ଲାରେ ବିଜେଡିର ଆଧିପତ୍ଯକୁ ବିରୋଧିଦଳ କିଭଳି ମୁକାବିଲା କରିବେ ଅନେକ ପ୍ରଶ୍ନ। ବିଭିନ୍ନ ଦଳରେ ଅନେକ ଟିକେଟ ଆଶାୟୀ । ଆଗମୀ ସାଧାରଣ ନିର୍ବାଚନ ଗଞ୍ଜାମ ଜିଲ୍ଲାର ସବୁ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.