ମାଲକାନଗିରି,୦୩/୦୫(ପିପିଟି):ଆଗାମୀ ମୌସୁମୀ ବର୍ଷା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନି, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ ଓ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାର ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଆବଶ୍ୟକ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବନ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଛି । ଜନସାଧାରଣଙ୍କ ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହ ସାରା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଟେଲିଫୋନ ନମ୍ବର ୦୬୮୬୧-୨୩୧୩୭୨ ଏବଂ ଟୋଲ ଫ୍ରି ନମ୍ବର ୧୦୭୭ ରେ ଯୋଗାଯୋଗ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ ବନ୍ୟା ସ୍ଥିତି ତଦାରଖ କରି ଜିଲ୍ଲପାଳଙ୍କୁ ଏ ନେଇ ଅବଗତ କରାଇବେ । ବ୍ଲକ୍ ଏବଂ ତହସିଲ ସ୍ତରରେ ପ୍ରଚୁର ପରିମାଣରେ ଆବଶ୍ୟକୀୟ ରିଲିଫ ସାମଗ୍ରୀ ମହଜୁଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୌରାଞ୍ଚଳରେ ତଳି ଅଞ୍ଚଳ ପରିଦର୍ଶନ କରିବା ସହ ସମସ୍ତ ନାଳ ନର୍ଦ୍ଦମାଗୁଡିକୁ ପରିଷ୍କାର କରି ପାଇଁ ପୌରଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ ପୂର୍ବାହ୍ନ ୨ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ବଜ୍ରପାତର ସମ୍ଭାବନା ଅଧିକ ରହିଥାଏ। ତେଣୁ ଉକ୍ତ ସମୟରେ ଜନସାଧରଣଙ୍କୁ ସତର୍କତା ଅବଲମ୍ବନ କରିବା ନେଇ ସଚେତନ କରିବା ପାଇଁ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦେଶୀ ଡଙ୍ଗା ସହ ଶକ୍ତିଚାଳିତ ଡଙ୍ଗା ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ଡଙ୍ଗାର ସୁରକ୍ଷା ତଦାରଖ କରିବା ନିମନ୍ତେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅପହଞ୍ଚ ଅଞ୍ଚଳରେ ପ୍ରଚୁର ପରିମାଣରେ କିରୋସିନି, ମହମବତୀ, ଦିଆସିଲି ଏବଂ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ଯୋଗଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ପମ୍ପ ଗୁଡ଼ିକରେ ବିଡିଓ ଓ ତହସିଲଦାର ମାନେ ଅଚାନକ ଗସ୍ତ କରି ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ପାନୀୟ ଜଳ ନିମନ୍ତେ ସମସ୍ତ ନଳକୂପ ଗୁଡ଼ିକର ମରାମତିର ସୁନିଶ୍ଚିତ କରିବା ନେଇ ସଂପୃକ୍ତ ବିଭାଗକୁ କୁହାଯାଇଛି। ହଇଜା ମୁକାବିଲା ନିମନ୍ତେ ଖୋଲାରେ ମଳତ୍ୟାଗ କରୁଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ପାଇଁ କୁହାଯାଇଛି। ସେହିପରି ଡେଙ୍ଗୁ ରୋଗକୁ ପ୍ରତିରୋଧ କରିବା ପାଇଁ ଗୋଟିଏ ସ୍ଥାନରେ ଜଳ କୁ ସାତ ଦିନରୁ ଅଧିକ ଦିନ ଧରି ନରଖିବା ପାଇଁ ନିର୍ଦ୍ଦେଶ ରହିଛି। ଆବଶ୍ୟକ ସ୍ଥଳେ କ୍ଷେତ୍ର ସ୍ତରରେ ଆଶା, ଅଙ୍ଗନୱାଡି, ସ୍ଵୟଂ ସହାୟିକା ଗୋଷ୍ଠୀ,ଆପଦ ମିତ୍ର ତଥା ଏନଜିଓ ମାନଙ୍କର ସହାୟତା ନେବାକୁ ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗୃହପାଳିତ ଓ ବୁଲା ପଶୁପକ୍ଷୀଙ୍କ ନିମନ୍ତେ ପ୍ରାଣୀ ସମ୍ପଦ ବିଭାଗକୁ ଭାକ୍ସିନ ଏବଂ ଔଷଧ ମହଜୁଦ କରି ରଖିବାକୁ କୁହାଯାଇଛି ।ସେହିପରି ଜିଲ୍ଲାରେ ୧୭ ଟି ବନ୍ୟା ଆଶ୍ରୟ ସ୍ଥଳୀକୁ ଚିହ୍ନଟ କରାଯାଇଛି। ତା ସହିତ ଚାରିଟି ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳୀ ରହିଛି । ବନ୍ୟା ସମୟରେ ପ୍ରସୂତି ମାଆମାନଙ୍କର ସ୍ଥାନାନ୍ତରଣ ଓ ପର୍ଯ୍ୟାପ୍ତ ଔଷଧୀୟ ସାମଗ୍ରୀ ମହଜୁଦ ରଖିବା ସହ ଜିଲ୍ଲା ସାରା ଲୋକଙ୍କ ମଧ୍ୟରେ ସଚେତନତା ନେଇ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲି ଯୋଗାଯୋଗ ପାଇଁ ବିଏସଏନଏଲ ଏବଂ ବିଦ୍ୟୁତ ସେବା ପାଇଁ ଶକ୍ତି ବିଭାଗକୁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି। ଅଶ୍ନିଶମ ଏବଂ ଓଡରାଫ ବିଭାଗ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ରହିଛନ୍ତି ବୋଲି ବୈଠକରେ ଜଣାଇଥିଲେ । କ୍ଷେତ୍ର ସ୍ତର ଅଧିକାରୀ ତଥା ସଂପୃକ୍ତ ବିଭାଗୀୟ ଅଧିକାରୀ ଦୈନିକ ଭିତ୍ତିରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବେ । ଏହି ସମନ୍ୱୟ ବୈଠକରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଉମା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାଂୟକ, ମାଲକାନଗିରି)