ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ: ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିରାଜିଲେ ମାଁ ।

0 255

ବେଲଗୁଣ୍ଠା,୨୪/୦୪(ପିପିଟି):ଗଞ୍ଜାମ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ନିଜ ସ୍ଥାୟୀ ମନ୍ଦିରରୁ ବେଲଗୁଣ୍ଠା ଆଗମନ କରି ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି ।ଆଜି ସଂଧ୍ୟାରେ ମାଁ ଙ୍କ ବାପଘର ବେଲଗୁଣ୍ଠା କୋଳି ସାହି ତରଫରୁ ସାହି ବାସିନ୍ଦା ଓ ସହରବାସୀ ବାଜା,ବାଣ ପଟୁଆର ସହିତ ସଂଧ୍ୟା ୮ ଘଣ୍ଟା ସମୟରେ ସ୍ଥାୟୀ ମନ୍ଦିର ଅଭିମୁଖେ ବାହାରିଥିଲେ ।କୋଳିସାହି,କଂସାରୀ ସାହି ଛକ , ବଡ଼ଦାଣ୍ଡ ସାହି, ଭଗବତ ପାଟଣା ରୋଡ୍ ଦେଇ ସ୍ଥାୟୀ ମନ୍ଦିରରେ ରାତି ୧୧ ରେ ପହଞ୍ଚିଥିଲେ ।ସେଠାରେ ମାଁ ବ୍ରାହ୍ମଣ ଦେବୀଙ୍କ ପୂଜାର୍ଚ୍ଚନା, ପାର୍ଶ୍ୱ ଦେବୀଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ବ୍ରାହ୍ମଣ ଗଣ ମନ୍ତପାଠ ସହିତ ଆଜ୍ଞାମାଳ ପାଇଁ ମାଁ ଙ୍କ ମାଜଣା ଆରମ୍ଭ କରିଥିଲେ । ରାତ୍ରୀର ବିଳମ୍ବିତ ପ୍ରହର ପ୍ରାୟ ୧.୦୭ ମିନିଟ ସମୟରେ ମାଁ ଙ୍କ ମସ୍ତକରୁ ପୁଷ୍ପ ଖସିବା ସହିତ ମାଁ ବେଲଗୁଣ୍ଠା ଅଭିମୁଖେ ଯାତ୍ରା କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ମାଁ ବ୍ରାହ୍ମଣ ଦେବୀଙ୍କ ସମ୍ମତି ପାଇବା ପରେ ଘଣ୍ଟ, ମୃଦଙ୍ଗ, ହୁଳହୁଳି,ଜୟ ଜୟକାର ଧ୍ୱନି ମନ୍ଦିର ପରିସରରେ ଏକ ଶୋଭାବର୍ଦ୍ଧକ ପରିବେଶ ସୃଷ୍ଟି ହୋଇଥିଲା । ଦିନ ସାରା ଉପବାସ କରିଥିବା ସହସ୍ରାଧିକ ମହିଳା ରାସ୍ତା ସାରା ମାଁ ଙ୍କୁ ଅପେକ୍ଷା କରିଥିଲେ । ମାଁ ବ୍ରାହ୍ମଣ ଦେବୀଙ୍କ ଆଜ୍ଞା ମିଶ୍ରିତ ଫୁଲକୁ ମାଁ ବାପା ମସ୍ତକରେ ଧାରଣ କରି ବେଲଗୁଣ୍ଠା ସହର ଅଭିମୁଖେ ବାହାରି ଥିଲେ । ଅପେକ୍ଷାରତ ମହିଳା ମାନେ ରାସ୍ତାରେ ବେହେରାଙ୍କ ପଦ ପ୍ରକ୍ଷାଳନ କରିବା ସହିତ ଚନ୍ଦନ, ସିନ୍ଦୂର,ଧୂପ,ଦୀପ, ନୈବେଦ୍ୟ ଦେଇ ପୂଜା କରି ପଦୋଦକ ପାଇ ନିଜର ନିର୍ଜଳା ଉପବାସ ଭଙ୍ଗ କରିଥିଲେ । ସଂସ୍କୃତି ଓ ପରମ୍ପରା ମିଶ୍ରିତ ଏହି ସମାବେଶ ଦେଖିବା ପାଇଁ ଆଖପାଖର ବହୁ ଭକ୍ତ ଭିଡ଼ ଜମାଇଥିବା ଲକ୍ଷ୍ୟ କରାଯାଇଥିଲା । ସେଠାରୁ ସହର ପରିକ୍ରମା କରି ମାଁ ପୂର୍ବାହ୍ନ ୧୦ ଟା ସମୟରେ ନିଜ ଅସ୍ଥାୟୀ ପୀଠରେ ବିଜେ କରିଥିଲେ । ପ୍ରକାଶ ଥାଉ କି , ଆସନ୍ତା ୨୯ ରେ ମାଁ ଙ୍କ ପ୍ରଥମ ନଗର ପରିକ୍ରମା ହେଉଥିବା ସୂଚନା ମିଳିଛି ଏବଂ ଆସନ୍ତା ମାସ ୭ ତାରିଖରୁ ବିଭିନ୍ନ ସାହି ତରଫରୁ ନଗର ପରିକ୍ରମା କରାଯିବା ସହିତ ବିଭିନ୍ନ ପ୍ରକାରର ବାଣ ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ବାଣ ପଟୁଆର ଦେଖିବା ପାଇଁ ଅଞ୍ଚଳ ବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ମାଁ ଙ୍କ ବାପ ହୋଇଥିବା କୈଳାସ ପାତ୍ର,କୋଳି ସାହି କମିଟି ସଭାପତି ଲୋକନାଥ ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ପୁରୋହିତ ପଞ୍ଚାନନ ପତି, ଉପଦେଷ୍ଟା ଦିଲ୍ଲୀପ ଆଚାରୀ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ଚନ୍ଦ୍ରମଣି ସାମଲ, ନଗରପାଳ ଫିରୋଜ କୁମାର ସେଠୀ,ସହରର ବହୁ ବିଶିଷ୍ଟ ବ୍ୟକ୍ତି,କୋଳି ସାହି ଯୁବକ ସଂଘ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.