ଛତ୍ରପୁର,୦୩/୦୪(ପିପିଟି): ଦେଶ ସୁଦୃଢ ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକ ପ୍ରିୟତା କରିବା ଜରୁରି ହୋଇ ପଡିଛି । ଗତ ମାର୍ଚ୍ଚମାସ ୨୦ ତାରିଖ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ ପଖଓ୍ବାଡା (ପକ୍ଷ) କାର୍ଯ୍ଯକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମର ଶେଷ ପଦଯାତ୍ରା ଛତ୍ରପୁର ପବ୍ଲିକ ସ୍କୁଲରୁ ଶୁଭାରମ୍ଭ ହୋଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ଶେଷ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ପରିଡା ଏହି ପଦଯାତ୍ରାଟିର ଶୁଭାରମ୍ଭ କରିଥିଲେ । ପରେପରେ ଜିଲ୍ଲା ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସଭା କାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ ଦ୍ବାରା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅନ୍ୟତମ ସମ୍ମାନୀତ ଅତିଥି ଭାବେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ମଞ୍ଚାସୀନ ଥିଲେ । କୁପୋଷଣର ଶିକାରରୁ ବଞ୍ଚିତ କରିବା ସକାଶେ ପୋଷଣ ପକ୍ଷ ପାଳନ ଦ୍ବାରା ପୁଷ୍ଟକର ଖାଦ୍ୟ ଖାଇବା ଦିଗରେ ସଚେତନ କରାଇବା ଏହି ପକ୍ଷ ପାଳନର ଉଦ୍ଦେଶ୍ୟ । ପୋଷଣଯୁକ୍ତ ଖାଦ୍ୟ କଣ ଏବଂ ସେଗୁଡିକୁ କେମିତି ଖାଦ୍ୟ ପ୍ରସ୍ତୁତ କରି ମା ଓ ଶିଶୁ ମାନଙ୍କୁ ଦିଆଯିବା ଆବଶ୍ୟକ ସେ ସମ୍ପର୍କରେ ଅତିଥିଗଣ ନିଜନିଜ ବକ୍ତବ୍ୟରେ ଜଣାଇଥିଲେ । ଏହି ଦିବସଟିକୁ ଉତ୍ସବ ପାଳନ ଦିବସ ରୂପେ ପରିଗଣିତ ନ କରି ମା ଓ ଶିଶୁ ମାନଙ୍କୁ କିଭଳି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ମେଣ୍ଟାଇ ହେବ ସେହି ଦିଗରେ ବର୍ଷ ତମାମ କାର୍ଯ୍ୟକରି ଜିଲ୍ଲାରୁ କୁ ପୋଷଣକୁ ରୋକିବା ଦିଗରେ କାର୍ଯ୍ୟକରିବା ପାଇଁ ଉପସ୍ଥିତ ସମସ୍ତ ସିଡିପିଓ, ସୁପରଭାଇଜର, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, କିଶୋରୀ ବାଳିକା, ସ୍ବୟଂ ସହାୟିକା ଗୋଷ୍ଠୀର ମା,ଭଉଣୀ ମାନଙ୍କୁ ବୁଝାଇ ଦିଆଯାଇଥିଲା । ସମସ୍ତେ ଯେପରି ପୋଷଣ ଯୁକ୍ତ ଖାଦ୍ୟ ଖାଇବେ ସେହି ଦିଗରେ ସଚେତନ କରାଇବାର ଆବଶ୍ୟକତା ଉପରେ ବକ୍ତବ୍ୟରେ ଅତିଥିଗଣ ଅବଗତ କରାଇଥିଲେ । ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଏବଂ ସମସ୍ତ ଶିଶୁ ଓ ମହିଳା ବିଭାଗର ସୁପରଭାଇଜର ମାନଙ୍କ ଦ୍ବାରା ପ୍ରଦର୍ଶନୀକୁ ଅତିଥିଗଣ ଉଦ୍ଘାଟନ କରିଥିଲେ । ଏହି ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସହକାରୀ ଜିଲ୍ଲା ଶିଶୁ ଓ ମହିଳା ଉନ୍ନୟନ ଅଧିକାରୀ ସାଧନ ଚନ୍ଦ୍ର ଦାଶଙ୍କର ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ବାଲ୍ୟବିବାହ ମୁକ୍ତ କାର୍ଯ୍ୟର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଇ.ସି.ଡି.ଏସ୍. ର ସୁପରଭାଇଜର କବିତା ପଣ୍ଡା ସ୍ବାଗତ ସଙ୍ଗୀତ ସହ କବିତା ଆବୃତ୍ତି କରିଥିଲେ ।