ହିଞ୍ଜିଳିରେ ମଶା ପ୍ରବଳ,କାବୁ କରିବାରେ ହିଞ୍ଜିଳି ପୌର ପରିଷଦ ବିଫଳ ।

0 180

ବ୍ରହ୍ମପୁର,୨୭/୨/୨୩(ପିପିଟି): ହିଞ୍ଜିଳିକାଟୁ ପୌର ପରିଷଦ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର । ବଜାରରେ ଧୂଆଁ ଉଡୁଛି କିନ୍ତୁ ଜନସାଧାରଣଙ୍କ ଘରେ ମଶା ପ୍ରବଳ । କିଛି ଦିନ ଅନ୍ତେ ଟିଫା ମିସିନ ଯୋଗେ ସହରର ମୁଖ୍ୟ ରାସ୍ତାରେ ଲୋକ ଦେଖାଣିଆକୁ ଧୂଆଁ ଗାଡି ବୁଲାଯାଉଛି । କିନ୍ତୁ ହିଞ୍ଜିଳି ପୌର ପରିଷଦ ମଶାକୁ କାବୁ କରିବାରେ ବିଫଳ । ଡମ୍ପିଙ୍ଗ ୟାଡ଼ ସହରର କେନ୍ଦ୍ର ସ୍ଥଳରେ ଥିବାରୁ ତାକୁ ଉଚ୍ଚ ମାନର କରି ଭେଣ୍ଡିଙ୍ଗ ଜୋନ କରାଗଲା । ବେପାରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଲବଲ କରିବା ପାଇଁ ପାଖରେ ମନୁଷ୍ୟ କୃତ ସରକାରୀ କୃତ୍ରିମ ବନ୍ଧ ଟିଏ ଯୋଗାଇ ଦିଆ ଗଲା । ଯାହା ଫଳରେ ମଶା ବଂଶ ପ୍ରବଳ ପାଇଁ ସରକାରଙ୍କ ତରଫରୁ ଯୋଜନାଟିଏ ହେଲା ବୋଲି ସାଧାରଣରେ ଆଲୋଚନା ହୋଉଛି । ସରକାରୀ ବନ୍ଧ ପାଖରେ ଥିବା ନବ ନିର୍ମିତ ବ୍ୟବସାୟ ପାଇଁ ଉଦ୍ଧିଷ୍ଟ କୋଠା ଅସାମାଜିକ ତତ୍ୱ ଓ ମଶା ମାନଙ୍କ ସଭା ପାଇଁ ଉତ୍କୃଷ୍ଟ ମାନର ଜାଗା ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ସେହି ପାଖରେ ଆହାର କେନ୍ଦ୍ର ଏବଂ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ବ୍ୟବସାୟିକ ଚାହା କେଫେ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଅଞ୍ଚଳର ନାଳ ନର୍ଦମା ଉପଯୁକ୍ତ ଭାବେ ସଫା ହୋଇ ପାରୁ ନଥିବାରୁ ମଶାଙ୍କ ପାଦୁର୍ଭାଵ ଦିନକୁ ଦିନ ବଢ଼ାଉଛି ବୋଲି ହିଞ୍ଜିଳି ଜନ ସାଧାରଣ ଅଭିଯୋଗ କରିଛନ୍ତି । ଉନ୍ନୟନ ନାମରେ ଠିକାଦାରଙ୍କୁ ପ୍ରିୟାପ୍ରୀତି କରି ଅର୍ଥ ଅନୁପଯୋଗୀ ପ୍ରକଳ୍ପ କାର୍ଯ୍ୟରେ ବିନିଯୋଗ କରୁଥିଲେ ମଧ୍ୟ ପରିମଳ ବିଷୟକୁ ଭାଷଣ ବାଜିରେ ସୀମିତ ରଖି ଲୋକଙ୍କୁ ଭୁଆଁ ବୁଲାଇବା ସହ ସ୍ୱଚ୍ଛତାର ଡିମଡିମ ପିଟୁଥିବା ଅଭିଯୋଗ ହୋଇଛି । ଏଣୁ ଚୁଗୁଲିଆ ଓ ବୁଦ୍ଧିଜୀବୀଙ୍କ କହିବା ପ୍ରକାରେ ହିଞ୍ଜିଳିରେ ମଶା ପ୍ରବଳ ଏବଂ ମଶାଙ୍କୁ କାବୁ କରିବାରେ ହିଞ୍ଜିଳି ପୌର ପରିଷଦ ଦୁର୍ବଳ ବୋଲି ଆଲୋଚନା ହେଉଛି । ବେଳ ଥାଉ ଥାଉ ମାଶା ପାଦୁର୍ଭାଵ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉ ବୋଲି ହିଞ୍ଜିଳି ଜନସାଧାରଣଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Leave A Reply

Your email address will not be published.