ମାଲକାନଗିରି,୨୫/୦୨(ପିପିଟି):ଆଜି ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ମାଲକାନଗିରି ଗସ୍ତରେ ଆସି ନିଜ ବିଭାଗର ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ବାଣିଜ୍ୟ ଓ ପରିବହନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ, ଉଷା ପାଢ଼ୀ ମଧ୍ୟ ଆଜି ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ପରିବହନ ବିଭାଗର ବିଭିନ୍ନ ବିଷୟ ନେଇ ସମୀକ୍ଷା କରିଛନ୍ତି। ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ନେଇ ଏହି ଗସ୍ତ କାର୍ଯ୍ୟକ୍ରମ କରଯାଇଛି । ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲାପାଳ ବିଶାଲ ସିଂ ସ୍ବାଗତ ଜଣାଇବା ସହ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ପାଢୀ ଗୌଡଗୁଡା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ,ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ସେଠାରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ନିଜର ଖୁସି ବ୍ୟକ୍ତ କରିଥିଲେ । ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଭିଯାନ ଚାଲିଛି। ଏହି ଅଭିଯାନରେ ମାଲକାନାଗିରି ଜିଲ୍ଲା ପାଇଁ ଶ୍ରୀମତୀ ପାଢୀ ନୋଡାଲ ଅଧିକାରୀ ଅଛନ୍ତି। ଆଜି ସରକାରୀ ଆଇଟିଆଇକୁ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ଏବଂ ସରକାରୀ ପଲିଟେକନିକ୍ କୁ କୋରୁକୁଣ୍ଡା ହାଇସ୍କୁଲର ଛାତ୍ରୀମାନେ ପରିଦର୍ଶନରେ ଆସିଥିଲେ। ଶ୍ରୀମତୀ ପାଢୀ ଆଇଟିଆଇରେ ସିଟିଟିସି ମିନି ଟୁଲରୁମ୍ ମଧ୍ୟ ବୁଲି ଦେଖିଛନ୍ତି। କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାରେ ଯୋଗଦାନ କରିବେ, ସେଥି ପ୍ରତି ପ୍ରଯତ୍ନ ହେବା ପାଇଁ ସେ ଆହ୍ୱାନ କରିଛନ୍ତି। ସେହିପରି ପରିବହନ ବିଭାଗ ସମୀକ୍ଷାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ କିଭଳି ବିଜୁ ଗାଁ ଗାଡି ଚାଲିବ ସେ ନେଇ ଶ୍ରୀମତୀ ପାଢୀ ଗୁରୁତ୍ୱାରୋପ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଉପ ଜିଲ୍ଲପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ମିଶ୍ର, ଆଇଟିଆଇ ଅଧ୍ୟକ୍ଷ ସମୀର ରଞ୍ଜନ ବେହେରା ଓ ପଲିଟେକନିକ୍ ଅଧ୍ୟକ୍ଷ ଜେ ଆର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post