ମାଲକାନଗିରି ବଡଯାତ୍ରା ସଂପର୍କରେ ସାମ୍ବାଦିକ ସମ୍ମିଳନୀ ।

0 232

ମାଲକାନଗିରି,୨୨/୦୨(ପିପିଟି): ଏକ ବର୍ଷ ବ୍ଯବଧାନରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡ ଯାତ୍ରା । ଏହି ପରିପ୍ରକ୍ଷୀରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷିଠିତ କରି ସୂଚନା ପ୍ରଦାନ କରିଥିଲେ । ବଡ ଯାତ୍ରାରେ ଆନ୍ଧ୍ର, ଛତିଶଗଡ,ତେଲେଙ୍ଗାନା ଏବଂ ଓଡିଶାର ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ପାର୍କିଙ୍ଗ ନିୟମ ମାନିବା ସହ ଜ଼ିଲ୍ଲା ଏବଂ ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୨୬ ଫେବୃଆରୀ ରେ ଦେବାଦେବୀ ମାନେ ପଲ୍ଲୁର ଠାରେ ରାତ୍ର ରହଣି କରିବେ । ୨୭ ଫେବୃଆରୀ ପୂର୍ବାହ୍ନ ୮ ଘଟିକା ସମୟରେ ଆନ୍ଧ୍ର-ପଲ୍ଲୁର ଅଭିମୁଖେ ଯାତ୍ରା ଆରମ୍ଭ ହେବ । ପୂର୍ବାହ୍ନ ୯ ଘଟିକାରେ ଓଡିଶା ପଲ୍ଲୁରରୁ ଆନ୍ଧ୍ର ପଲ୍ଲୁରକୁ ନୌକା ବିହାର ହେବ । ପୂର୍ବାହ୍ନ ୧୦ଘଟିକା ସମୟରେ ଆନ୍ଧ୍ର ପଲ୍ଲୁର ଠାରୁ ତାଡ଼ିକା ରାଓ ନଦୀ ଘାଟ ଅଭିମୁଖେ ଯାତ୍ରା ହେବ । ପୂର୍ବାହ୍ନ ୧୧ ଘଟିକା ସମୟରେ ତାଡ଼ିକା ରାଓ ନଦୀଘାଟ ଠାରେ ଦେବାଦେବୀଙ୍କର ସ୍ନାନ ଯାତ୍ରା ହେବ। ଅପରାହ୍ନ ଏକ ଘଟିକା ସମୟରେ ନଦୀଘାଟ ଠାରୁ ଆନ୍ଧ୍ର ପଲ୍ଲୁରକୁ ପ୍ରତ୍ୟାବର୍ତ୍ତନ ହେବ । ଅପରାହ୍ନ ୨ ଘଟିକା ସମୟରେ ଆନ୍ଧ୍ର ପଲ୍ଲୁର ଠାରେ ଦେବାଦେବୀ ରହଣି କରିବେ ଏବଂ ଅପରାହ୍ନ ୩ ଘଟିକା ସମୟରେ ଆନ୍ଧ୍ର ପଲ୍ଲୁର ଠାରୁ ଓଡିଶା ପଲ୍ଲୁର କୁ ଦେବାଦେବୀଙ୍କ ନୌକା ବିହାର ହେବ । ଅପରାହ୍ନ ୪ ଘଟିକା ସମୟରେ ଦେବାଦେବୀ ଓଡିଶା ପଲ୍ଲୁର ଠାରେ ପହଞ୍ଚିବେ ଏବଂ ସେଠାରେ ରହଣି କରିବେ । ସେହିପରି ଅପରାହ୍ନ ୬ ଘଟିକା ସମୟରେ ପଲ୍ଲୁର ଠାରୁ ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇ ଦେବାଦେବୀ ମାନ୍ୟମକୋଣ୍ଡା ଠାରେ ରହଣି କରିବେ । ମାଲକାନଗିରି ସଦର ମହକୁମା ଠାରେମାର୍ଚ୍ଚ ୪ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ବଡଯାତ୍ରା ପାଳନ ହେବ । ମାର୍ଚ୍ଚ ୪ ତାରିଖରେ କନ୍ୟାମାଝି ପୂଜାସ୍ଥଳରେ ଦେବାଦେବୀ ପୂର୍ବାହ୍ନ ୭ ଘଟିକା ଠାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ପୂଜା ପାଇବେ । ଏ ନେଇ ବ୍ଲକ କାର୍ଯ୍ୟାଳୟ ରାସ୍ତା ,ମାରଫେଡ ଏବଂ ଏସଏଭି ବିଦ୍ୟାଳୟ ଠାରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସେହିପରି ମାଣ୍ଡିଆଭଟା ଠାରେ ମାର୍ଚ୍ଚ ୪ ତାରିଖ ରାତ୍ର ୯ ଘଟିକାରୁ ମାର୍ଚ୍ଚ ୫ ତାରିଖ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲୁ ରହିବ । ଏ ନେଇ ସିଡ଼ିଭି,କାର୍ଯ୍ୟାଳୟ ଓ ଟାଉନ ହଲ ଠାରେ ପାର୍କିଙ୍ଗ କରାଯିବ । ସେହିପରି ମାର୍ଚ୍ଚ ୫ ତାରିଖ ପୂର୍ବାହ୍ନ ୧୦ଘଟିକାରୁ ମାଉଲି ମା’ ମନ୍ଦିର ଠାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପୂର୍ବାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ । ଏଥିନିମନ୍ତେ ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ୱରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସମସ୍ତ ଭାରି ଯାନ ଗୁଡିକ କଲେଜ ଛକରୁ କେନାଲ ଛକ ଭାୟା ପୁରୁଣା ମେଡିକାଲ ଛକ ଏବଂ ଆଇଏମଏସଟି ଛକ ହୋଇ ବାଇପାସ ରାସ୍ତା ଦେଇ ଯାତାୟାତ କରିବ । ସେହିପରି ଭକ୍ତଙ୍କ ନିମନ୍ତେ ପାନୀୟଜଳ,ଆମ୍ବୁଲାନ୍ସ,ଭ୍ରାମ୍ୟମାଣ ଶୌଚାଳୟ ଏବଂ ସିଲେରୁ ନଦୀରେ ଭକ୍ତଙ୍କ ଯାତାୟାତ ପାଇଁ ଜେଟିର ବ୍ୟବସ୍ଥା ନେଇ ସୂଚନା ଦିଆଯାଇଛି । ଏହି ଆଲୋଚନାରେ ଏସଡ଼ିପିଓ ସଚିନ ପଟେଲ,ଆଇଆଇସି ରିଗାନ କିଣ୍ଡୋ,ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ, ଅଶୋକ କୁମାର ପାଲ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.