କବିସୂର୍ଯ୍ୟନଗର,୧୧/୧୨(ପିପିଟି):ଆଗାମୀ ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ଚଳଚଞ୍ଚଳ ଆରମ୍ଭ ହୋଇଛି। ବିଜେଡି ଓ ବିଜେପିରୁ ଟିକେଟ ପାଇବା ପାଇଁ ଆଶାୟୀଙ୍କ ସଂଖ୍ଯା ବଢୁଛି। କବିସୂର୍ଯ୍ୟନଗର ୧୨୫ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ବିଜେଡିର ଲତିକା ପ୍ରଧାନ ୯୨୩୪୭ ଭୋଟ ତଥା ୬୨.୮୭% ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ରଞ୍ଜନ ପୋଲେଇ ୪୩୩୧୯ ତଥା ୨୯.୪୯% ଭୋଟ ପାଇଥିଲେ। ବାମପନ୍ଥୀ ସମର୍ଥିତ କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ସାହୁ ୫୭୨୭ ତଥା ୩.୯% ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଅବନୀ କାନ୍ତ ବଡଜେନା ୨୮୨୮ ତଥା ୧.୯୩% ଭୋଟ ପାଇଥିଲେ। ନୋଟା ୨୬୫୬ ତଥା ୧.୮୧% ଭୋଟ ପଡିଥିଲା । ୧୪୬୮୭୭ ଭୋଟ ହୋଇଥିଲା। ବର୍ତ୍ତମାନ ଆଗୁଆ ନିର୍ବାଚନ ହେବ ଆଶଙ୍କା ଥିବାରୁ ବିଜେଡି ଓ ବିଜେପିର ଆଶାୟୀ ପ୍ରାର୍ଥୀ ଚଳଚଞ୍ଚଳ ହେଲେଣି। ବିଜିଡିରୁ ବିଧାୟିକା ଲତିକା ପ୍ରଧାନ ପୁନର୍ବାର ଟିକେଟ ପାଇବା ନେଇ ଆଶାବାଦୀ ଥିବାବେଳେ, କେଦଳାର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ, ଯୁବନେତା ସୀତାରାମ ପାଣିଗ୍ରାହୀ,ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ବିଶିଷ୍ଟ ମଦ ବ୍ଯବସାୟୀ ମଧ୍ଯ ଆଶାୟୀ ଥିବା ଶୁଣିବାକୁ ମିଳୁଛି। ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ୨୦୧୯ ରେ ବିଜେଡିରୁ ଟିକେଟ ଆଣିବାକୁ ଯାଇ ଭୁବନେଶ୍ବର ରୁ ଆଉ ଫେରି ନଥିଲେ ଏବଂ ତାଙ୍କର ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା। ନାମାଙ୍କନ ଦାଖଲ ଶେଷ ହେବା ପରେ ଶ୍ରୀ ସାହୁ ଭୁବନେଶ୍ବରରୁ ଫେରିଥିଲେ ଏବଂ ମୋବାଇଲ କାର୍ଯ୍ଯକ୍ଷମ ହୋଇଥିଲା। ଗତଥର ଶ୍ରୀ ସାହୁଙ୍କ ଅବସ୍ଥା ଯାହା ହୋଇଥିଲା ଏଥର ଆଉ ସେ ଭଳି ହେବ ନାହିଁ ବୋଲି ତାଙ୍କର ଅନୁଗତ ମାନେ ଭାବୁଛନ୍ତି। ଏଥର ଶ୍ରୀ ସାହୁ ଟିକେଟ ଆଣିବା ପାଇଁ ନଯାଇ ଟିକେଟ ସଂଗ୍ରହ କରିବେ ବୋଲି ଚାହା ଖଟିରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। କୋଦଳା ଏନ୍ଏସି ବିଜେପି ଦଖଲକୁ ଯାଇଛି । କୋଦଳା ଏନ୍ଏସି ବିଜେଡିର ପରାଜୟ ଉଭୟ ହର ପ୍ରସାଦ ସାହୁ ଓ ବିଧାୟିକା ଲତିକା ପ୍ରଧାନଙ୍କୁ ଝଟକା ଲାଗିଛି। ଦୀର୍ଘ ବର୍ଷ ହର ପ୍ରସାଦ ସାହୁ କୋଦଳା ଏନ୍ଏସି କୁ ନିଜ ଦଖଲରେ ରଖିଥିଲେ। ତାଙ୍କ ବିରୋଧରେ ଜନ ଅସନ୍ତୋଷ ଥିଲା ନା ତାଙ୍କୁ ଅଣଦେଖା କରି ବିଜେଡି ଟିକେଟ ବଣ୍ଟନ କରିବାରୁ ବିଜେଡି ହାରିଲା ତାହା ଆଜି ପର୍ଯ୍ୟନ୍ତ ବିଜେଡିର ସମୀକ୍ଷା ହୋଇ ନାହିଁ। ରାଣୀ ଗୋଷ୍ଠୀର ସୀତାରାମ ପାଣିଗ୍ରାହୀ ଟିକେଟ ଆଶାୟୀ ରହିଛନ୍ତି। ବିଜେପିର ରଞ୍ଜନ ପୋଲେଇ ପୁନର୍ବାର ଟିକେଟ ପାଇବା ପାଇଁ ଲବି ଚଲାଇଛନ୍ତି। ବିଜେପି ପକ୍ଷରୁ ପ୍ରତାପ ଚନ୍ଦ୍ର ନାୟକ, ଅରୁଣ ପଣ୍ଡା, ପ୍ରବୋଧ ଚାନ୍ଦ ପଣ୍ଡା, ସମାଜ ସେବୀ ଇ ମାହେଶ୍ବରୀ ଦୋରା ପ୍ରମୁଖ ଟିକେଟ ଆଶାୟୀ। କଂଗ୍ରେସ ଓ ସିପିଆଇ ଦଳରେ ନେତୃତ୍ବ ସଙ୍କଟ ଓ ସଂଗଠନ ଦୁର୍ବଳ। କଂଗ୍ରେସ ସଂଗଠନ କଲେ ହୁଏତ କିଛି ମାତ୍ରାରେ ଭୋଟ ବଢିପାରେ କିନ୍ତୁ ନେତା ସକ୍ରିୟ ନାହାଁନ୍ତି। ସିପିଆଇ ର ପୂର୍ବ ଭଳି ସଂଗଠନ ନାହିଁ। ସିପିଆଇ ର ଶ୍ରମିକ ସଂଗଠନ ବଳେ ଦୁଇ ତିନି ଜଣ ନେତା ଚଳପ୍ରଚଳ ହେଉଛନ୍ତି। ସିପିଆଇର ଆର୍ଥିକ ସ୍ଥିତି ଓ ସଂଗଠନିକ ସ୍ଥିତି ଦୁର୍ବଳ ଯୋଗୁଁ ନିର୍ବାଚନ ଲଢିବା ସ୍ଥିତିରେ ନାହିଁ। ପୁଣି ବାମପନ୍ଥୀ ଦଳ ଏଥର ମେଣ୍ଟ ଉପରେ ନିର୍ଭର। ଆପ୍, ଫରୱାର୍ଡ ବ୍ଲକ, ବିଏସପି ଭଳି କିଛି ଛୋଟ ଛୋଟ ଦଳ ରହିଥିଲେ ମଧ୍ଯ ସାଂଗଠନିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ। ବର୍ତ୍ତମାନ ବିଜେଡି ମଧ୍ୟରେ ଅନ୍ତଦ୍ୱନ୍ଦ ଥିଲେ ମଧ୍ଯ ବିଜେଡିର ସଂଗଠନ ମଜବୁତ ରହିଛି। ଆଗମୀ ସାଧାରଣ ନିର୍ବାଚନ ବିଭିନ୍ନ ଦଳ ନିଜର ରଣକୌଶଳ ବଦଳାଇବେ। ପ୍ରାର୍ଥୀ ଚୟନ ମଧ୍ଯ ଏକ ମାପ ଦଣ୍ଡ ହେବ।