ମାଲକାନଗିରି,୦୬/୧୨(ପିପିଟି): କାଲିମେଳା ବ୍ଲକ ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପ ସାଇବର ଲୁଟ୍ ର ଶିକାର ହୋଇଥିବା ଜଣାପଡିଛି। ଏନେଇ ଥାନାରେ ସେ ଏତଲା ଦେବା ପରେ ସାଇବର ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଘଟଣାରୁ ପ୍ରକାଶ ଯେ, ସମୀର କୁମାର ଗୋପ କାଲିମେଳା ଷ୍ଟେଟବ୍ୟାଙ୍କକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ସମସ୍ତ ଡକୁମେଣ୍ଟ ଦେବାକୁ କୁହାଯାଇଥିଲା। ସେ ବ୍ୟାଙ୍କରୁ ଫେରିବା ପରେ ଏନେଇ ଚିନ୍ତା କରୁଥିଲେ। ତେବେ ହଠାତ୍ ଦିନେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା । ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁନଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା। ସମୀର ୟୁନୋ ବନ୍ଦ ପଡିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। କିଛି ସମୟ ପରେ ବ୍ୟାଙ୍କରୁ କହୁଛି କହି ଏକ ଫୋନ ଆସିଥିଲା। ମୋତେ ତୁମର ଓଟିପି ନମ୍ବର ଦିଅ ନାହିଁ। ତେବେ ତୁମର ସମସ୍ତ କାମ ମୁଁ କରିଦେଉଛି କହି ସେ ଏନିଡେସ୍କ ଡାଉନଲୋଡ କରିବାକୁ କହିଥିଲା। ସମୀର ଏନିଡେସ୍କ ଡାଉନଲୋଡ କରୁ କରୁ କିଛି ମିନିଟ ଭିତରେ ପ୍ରଥମେ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚାଲିଯାଇଥିଲା। ସମୀର କିଛି ଭାବୁ ଭାବୁ ପୁଣି ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଆଉ ଥରେ ୨୪,୯୯୦ ଟଙ୍କା ତାଙ୍କ ଆକାଉଣ୍ଟରୁ କଟି ଚାଲିଗଲା। ସମୀର ସେହି ବ୍ୟକ୍ତିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଆଉ ଫୋନ ଉଠାଇନଥିଲା। ସେ ଷ୍ଟେଟ ବ୍ୟାଙ୍କ ଯାଇ ଏସବୁ ବିଷୟରେ କହିବା ପରେ ବ୍ୟାଙ୍କ କର୍ମଚାରୀ ସାଇବର ଥାନାରେ କେଶ ରୁଜୁ କରିବାକୁ କହିଥିଲେ। ସମୀର ନିଜର ଝିଅ ବାହାଘର ପାଇଁ ଟଙ୍କା ଯୋଗାଡ କରି ରଖିଥିଲେ। ତେବେ ଏତେ ଟଙ୍କା ସାଇବର ଠକ ଲୁଟି ନେଇଥିବାରୁ ସେ ଏବେ ଚିନ୍ତାରେ ପଡିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post