ଭଞ୍ଜନଗର,୦୪/୦୯(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ କୋକଳବା ଗ୍ରାମରେ ରବିବାର ବାରହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।ରବୀନ୍ଦ୍ର କୁମାର ସାହୁଙ୍କ ପତ୍ନୀ ବୈଜୟନ୍ତି ସାହୁ (୩୦) ଭୋର ୫ଟା ସମୟରେ ବାରିପଟ କବାଟ ଖୋଲି ନିକଟ ବୁଦାରେ କିଛି ଶବ୍ଦ ଶୁଣି ସେଠାକୁ ଯାଇଥିଲେ। ହାଠାତ୍ ସେହି ବୁଦାରୁ ଏକ ବାରହା ଆସି ବୈଜୟନ୍ତି କୁ କାମୁଡ଼ି ପକାଇ ଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ।ତାଙ୍କ ଚିତ୍କାର ଶୁଣି ଘର ଲୋକେ ଆସି ଗୁରୁତର ଅବସ୍ଥାରେ ବୈଜୟନ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ତାଙ୍କର ଗୋଟିଏ କାନ, ହାତ ଓ ଦୁଇ ଗୋଡ଼କୁ ବାରହା କାମୁଡ଼ି ଖଣ୍ଡିଆ କରିଦେଥିବା ଜଣାପଡିଛି।ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଆସି ବୈଜୟନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଦିନକୁ ଦିନ ତାରସିଂ ବନାଞ୍ଚଳରେ ହାତୀ ଓ ବାରହାଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଏହି ବନ୍ୟଜନ୍ତୁମାନେ ବହୁ ପରିମାଣରେ ଫସଲ, ପନିପରିବା,ଘର ଭାଙ୍ଗି ନଷ୍ଟ କରୁଥିବା ବେଳେ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଯାହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )