ମାଲକାନଗିରି,୦୩/୦୯(ପିପିଟି):
କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ବିଏସଏଫର ସହକାରୀ କମାଣ୍ଡାଣ୍ଟ ସୌରଭ ଫୌଜଦାର୍ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଅଧ୍ୟାପିକା ମଧୁସ୍ମିତା ବିଶ୍ବାଳ, ସଞ୍ଜିତା ଖୋସଲା, ଶ୍ରୀଦେବୀ ପରିଡା, ଅଧ୍ୟାପକ ରଘୁନାଥ ମହାନ୍ତି, ନିରଞ୍ଜନ ସ୍ୱାଇଁ, କୃତ୍ତିବାସ ଗିରି, ମଳୟ କୁମାର ନନ୍ଦୀ, ବିଶ୍ୱଜିତ ମହାନ୍ତି ଓ ଜନ୍ କୋରା ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଶ୍ରୀ ଫୌଜଦାର୍ ଫୁଲମାଳ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏଥିରେ ଡାରଉଇନ ମହାବିଦ୍ୟାଳୟ ର ୨୦୦ ଛାତ୍ର ଛାତ୍ରୀ, ଡାରଉଇନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୦ ଜଣ ଛାତ୍ରଛାତ୍ରୀ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଫୌଜଦାର କହିଛନ୍ତି ଯେ ବର୍ତ୍ତମାନ ବିଏସଏଫ ଯେଉଁ ଢଙ୍ଗରେ ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ଭାରତର ସୀମା ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଶାନ୍ତି ଶୃଙ୍ଖଳା ଓ ସ୍ଥିରତାକୁ ପ୍ରାଥମିକତା ଦେବ ସହ ଯୁବ ସମାଜକୁ ଏହି ଅନୁଷ୍ଠାନରେ ଭର୍ତ୍ତି ପ୍ରକ୍ରିୟାରେ ଯୋଗଦେବା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କୁ ଟିଭି ଜରିଆରେ ବିଏସଏଫ ଯବାନ ମାନଙ୍କ କାର୍ଯ୍ୟ ଦକ୍ଷତା ଓ ରଣ କୌଶଳ ଉପରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ବିଏସଏଫ ର ତାଲିମ ପ୍ରାପ୍ତ କୁକୁର ଦ୍ଵାରା ଚୋର ଧରିବା, ବିସ୍ଫୋରକ ସାମଗ୍ରୀକୁ ଶୁଘିଂବା ସହ ବିଭିନ୍ନ ରଣକୌଶଳ ପ୍ରଦର୍ଶନକୁ ସମସ୍ତେ ମନଭରି ଉପଭୋଗ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଏସଏଫ ଯବାନ ମାନେ କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)