ମାଲକାନଗିରି,୩୦/୦୮(ପିପିଟି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଅଧିକ ହଳଦୀ ଉତ୍ପାଦନ ହେଉଛି। ଏହି ହଳଦୀକୁ ଓଡିଶାର ବିଭିନ୍ନ ଅଞ୍ଚଳକୁ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ହଳଦୀ ଗୁଣ୍ଡ ପ୍ରକ୍ରିୟାକରଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସେହି ପ୍ରୟାସରେ ଅଞ୍ଚଳରେ ଥିବା ଅନେକ ମହିଳା ହଳଦୀ ଚାଷ ଓ ବିକ୍ରୟ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଜିଲ୍ଲାର ଚିତ୍ରୋକୋଣ୍ଡା ବ୍ଲକର ସ୍ଥାନୀୟ ଚିତ୍ରକୋଣ୍ଡା ମା’ ତାରା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜୈବିକ ଚାଷର ଉତ୍ପାଦିତ ହଳଦୀକୁ ପ୍ରକ୍ରିୟାକରଣ କରି ଗୁଣ୍ଡକୁ ପ୍ୟାକିଂ କରି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନର ସହଯୋଗରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ବିଏସ୍ଏଫ୍ କ୍ୟାମ୍ପକୁ ହଳଦୀଗୁଣ୍ଡ ଯୋଗାଇ ଦେଉଛନ୍ତି। ବିଏସ୍ଏଫ୍ କ୍ୟାମ୍ପ ସେମାନଙ୍କଠାରୁ ୨୦୦ କିଲୋରୁ ଉର୍ଦ୍ଧ୍ୱ ହଳଦୀ ଗୁଣ୍ଡ ନେଉଛନ୍ତି। ଫଳରେ ଏହି ମହିଳାମାନେ ଆର୍ଥିକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ଲାଗି ପ୍ରେରଣା ପାଉଛନ୍ତି । ହଳଦୀକୁ ପ୍ୟାକେଟ କରି ଚିତ୍ରକୋଣ୍ଡା ବଜାର ତଥା ଅନ୍ୟାନ୍ୟ ଆବଶ୍ୟକ କରୁଥିବା ଗ୍ରାହକକୁ କିଲୋ ପ୍ରତି ୧୫୦/- ଟଙ୍କାରେ ଯୋଗାଇ ଦେଉଛନ୍ତି । ମହିଳା ମାନେ ନିଜ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ ହେବା ପାଇଁ ଆଗାମୀ ଦିନରେ ବଡ଼ ଆକାରରେ ବଜାରୀ କରଣ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post