ଛତ୍ରପୁର,୨୬/୦୮(ପିପିଟି):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର(ଏ. ଜି ) ସହଯୋଗରେ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଛତ୍ରପୁରସ୍ଥିତ “ଋଷିକୂଲ୍ୟା” ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି । ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ମୁଖ୍ୟ ଅତିଥି, ମହାଲେଖାକାର(ପେନସନ) ଏସ. ଅରୁଣା, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦ୍ଦେଶନାମା ଥିବା ସତ୍ବେ ପେନସନ ମଞ୍ଜୁରକର୍ତମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି । ଯାହାଫଳରେ ବାହୁବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଅଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୧୮ ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାତ୍ର ପେନସନ ମଞ୍ଜୁରକର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି । ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁରକର୍ତ୍ତାମାନଙ୍କୁ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଅଛି । ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି । ଏହି ପେନସନ ଅଦାଲତରେ ଗଞ୍ଜାମ ଜିଲ୍ଲାର ୨୦୧୨ ରୁ ୨୦୨୨ ପାର୍ଯ୍ୟନ୍ତ ୪୦୭ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ୧୪୭ଟି ପେନସନ କେସ ମଞ୍ଜୁର ପାଇଁ ପଦକ୍ଷେପ ନିଆଗଲା ଓ ଏହାକୁ ତୁରନ୍ତ ଏ. ଜି କାର୍ଯ୍ୟାଳୟକୁ ପଠାଯିବ । ଏହାଛଡା ୮୭ ଟି ଗ୍ରାଚୁଇଟି କେସ ମଧ୍ୟରୁ ୪୨ ଟି କେସ ମଞ୍ଜୁର ପାଇଁ ଏ. ଜି କାର୍ଯ୍ୟାଳୟକୁ ପଠାଯିବାକୁ ସ୍ଥିର କରାଗଲା । ଜିଲ୍ଲାପାଳ ଶ୍ରୀ ପରିଡା ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ୧୬ଟି ଗ୍ରାଚୁଇଟି ଆଦେଶ ଅବସରପ୍ରାପ୍ରାପ୍ତ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଏହି ପେନସନ ଅଦାଲତକୁ ବରିଷ୍ଠ ଲେଖାଧିକାରୀ ନାଗେଶ୍ୱର ରାଓ, ମନୋରଞ୍ଜନ ପାଣିଗ୍ରାହୀ, ଏ. ଜି ର ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ ପରିଚାଳନା କରିଥିଲେ । ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ ବୋଳି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ।