ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ : ୫୯ ନଂ. ଜାତୀୟ ରାଜପଥ ଉପରେ ୨ଫୁଟରେ ପାଣି ଯାଉଛି ।

0 230

ବାଲିଗୁଡ଼ା,୧୪/୦୮(ପିପିଟି ): ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଆଦର୍ଶ ପୋଖରୀରେ ବର୍ଷା ଜଳ ଭର୍ତ୍ତି ହୋଇ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ରବିବାର ରାତି ସାଢେ ନଅ ଟା ସମୟରେ ପାଖାପାଖି ଦୁଇ ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ରାତି ତମାମ ଯଦି ଏଭଳି ବର୍ଷା ଲାଗି ରହେ ତେବେ ଜାତୀୟ ରାଜପଥ ଉପରେ ପାଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ପୋଖରୀ ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀ ହୁଡ଼ାରେ ନବ ନିର୍ମିତ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ବସ୍ ଷ୍ଟାଣ୍ଡକୁ ଲାଗି ରହିଥିବା ପୋଖରୀର ମଧ୍ୟ ନବ ନିର୍ମିତ ପାର୍ଶ୍ଵ କାନ୍ଥ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା । ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷରେ କାନ୍ଥ ଭୁଶୁଡ଼ି ପଡ଼ୁଛି ଏବଂ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ପ୍ରିୟା ପ୍ରୀତି ଯୋଗୁଁ ଏଭଳି ନିମ୍ନମାନର କାମ ହେଉଛି ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ପୋଖରୀ ଆଖପାଖ ରେ ବସବାସ କରୁଥିବା କିଛି ବ୍ୟକ୍ତିଙ୍କ ଘରେ ପୋଖରୀର ଭର୍ତ୍ତୀ ପାଣି ଘର ଭିତରେ ପଶି ବ୍ୟାପକ ଜିନିଷ ପତ୍ର ନଷ୍ଟ ହୋଇଥିବା ବେଳେ ଅକଥନୀୟ ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜନସାଧାରଣ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ ଅଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କ ସମେତ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦାରୁ ଯାଇନପାରି ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଏଥିପ୍ରତି ଉପଖଣ୍ଡ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.