ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ନିରୀକ୍ଷଣ ଯୋଜନା,ଗର୍ଭବତୀ ମହିଳାଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା ।

0 349

ବ୍ରହ୍ମପୁର,୧୦/୦୮(ପିପିଟି): ଗଞ୍ଜାମ ଜିଲ୍ଲାରେ ମାତୃତ୍ବକୁ ସୁରକ୍ଷିତ ରଖିବା ନେଇ ଆରମ୍ଭ କରାଯାଇଛି ନିରୀକ୍ଷଣ ଯୋଜନା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲରେ ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ସବୁବେଳେ ମାତୃ ଏବଂ ଶିଶୁ ସୁରକ୍ଷା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ରାଜ୍ୟରେ ସୁନାମ ଆଣିଛି । ବିଶେଷ କରି ସ୍ବାସ୍ଥ୍ୟ ସେବା ଦିଗରେ ଅନେକ ଗୁଡିଏ କାର୍ଯ୍ୟ କରି ଏହି ଜିଲ୍ଲା ସଫଳ ହୋଇପାରିଛି ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଆସିଛି । ମାତୃତ୍ବକୁ ସୁରକ୍ଷା ଦିଗରେ ଜିଲ୍ଲାର ଏହି ଅଭିନବ ପ୍ରୟାସକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି । ନିରାପଦ ମାତୃତ୍ବ ପାଇଁ ଗର୍ଭବତୀ ମାନଙ୍କୁ ବିପଦ ଏଡାଇବା ନିମନ୍ତେ ଠିକ୍ ସମୟରେ ଚିହ୍ନଟ କରି ଅଲଟ୍ରାସାଉଣ୍ଡ କରାଯିବ । ଏ.ଏନ୍.ଏମ୍. ମାନଙ୍କଦ୍ବାରା ଗର୍ଭବତୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କ୍ଲିନିକରେ ଗର୍ଭବତୀଙ୍କ ପ୍ରାରମ୍ଭିକ ଚିକିତ୍ସା ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା କରାଯିବ । ସେହି ଗର୍ଭବତୀ ମହିଳାଙ୍କୁ ଅନ୍ତତଃ ଗର୍ଭାବସ୍ଥା ସମୟରେ ତିନିଥର ବିନାମୂଲ୍ୟରେ ଅଲଟ୍ରା ସାଉଣ୍ଡର ସୁବିଧା ଯୋଗାଇ ଦିଆଯିବ । ଗର୍ଭାବସ୍ଥାର ୧୨ ସପ୍ତାହରେ ପ୍ରଥମ, ୧୬ ରୁ ୩୪ ସପ୍ତାହ ମଧ୍ୟରେ ଦ୍ବିତୀୟ ଓ ୩୬ ସପ୍ତାରେ ତୃତୀୟ ଥର ଅଲଟ୍ରା ସାଉଣ୍ଡ ସୁବିଧା ଯୋଗାଇ ଦିଆଯିବ । ସମସ୍ତ ସରକାରୀ ଓ ସ୍ବୀକୃତି ପ୍ରାପ୍ତ ବେସରକାରୀ ଅଲଟ୍ରାସୋନୋଗ୍ରାଫି ୟୁନିଟ୍ସରେ ଏହି ସୁବିଧା ନିୟମ ପ୍ରକାରେ ଉପଲବ୍ଧ ହୋଇପାରିବ । ଏଥିପାଇଁ ସରକାରୀ ଡାକ୍ତରଖାନା ଦ୍ବାରା ସ୍ବୀକୃତି ପତ୍ର ଆଣିବା ଆବଶ୍ୟକ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜିକ ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍. ଜଗଦୀଶ ପଟ୍ଟନାୟକ, ଏ.ଡି. ପି.ଏଚ୍.ଓ. ପରିବାର କଲ୍ୟାଣ ଡଃ ଭି. ସରୋଜୀନୀ ଦେବୀ, ସୁପରିନଟେଣ୍ଡେଣ୍ଟ ସିଟି ପସ୍ପିଟାଲ ବ୍ରହ୍ମପୁର ଡଃ ରାଜେନ୍ଦ୍ର କୁମାର ସାହୁ, ବରିଷ୍ଠ ମେଡିକାଲ ଅଫିସର୍ ଡଃ କାମେଶ୍ବର ରାଓ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ପ୍ରବନ୍ଧକ ଶକ୍ତି କୁମାର ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.