ଭଞ୍ଜନଗର,୧୭/୦୭(ପିପିଟି): ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀ, ନାଳ ଓ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ତଳ ମୁଣ୍ଡରେ ବାସ କରୁଥିବା ଲୋକମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଲୋହାରାଖଣ୍ଡି,ବୋଡ଼ା ନଦୀ ଓ ବଡ଼ ନଦୀରେ ଆଶାନୁରୂପ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖାଯାଇଛି । ଗତ କିଛି ଦିନ ତଳେ ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ ବାଲି ସାହିରେ ବନ୍ୟା ଜଳ ଗ୍ରାମରେ ପଶିଯିବା ଯୋଗୁଁ ପ୍ରଶାସନ ତରଫରୁ ସମସ୍ତ ୫୦ଟି ପରିବାରକୁ ଚାକୁଣ୍ଡା ପଲି ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଭଞ୍ଜନଗର ଠାକୁରାଣୀ ମନ୍ଦିର ଶଙ୍ଖ ସାହିରେ ଲୋହାରଖଣ୍ଡି ନଦୀର ବନ୍ୟାଜଳ ସାହିରେ ପ୍ରବେଶ ଫଳରେ କେତେକ ଘର ପାଣି ଘେରରେ ରହିଛି।ବର୍ଷାର ପରିମାଣ ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ଜନସାଧାରଣ।ପ୍ରଶାସନ ତରଫରୁ ସ୍ଥିତି ଉପରେ ନଜର ରଖାଯାଇଛି।ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରଶାସନ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ବିପଦରେ ସମୟରେ ଯୋଗାଯୋଗ କରିବା ପାଇଁ ୦୬୮୨୧-୨୪୧୦୦୨ ଟୋଲ ଫ୍ରି ଫୋନ ନମ୍ବର ଜାରି କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post