ବେଲଗୁଣ୍ଠା,୨୩/୦୬(ପିପିଟି): 5T ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷଣ ନିମନ୍ତେ ଆଜିଠାରୁ 5T ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ବରିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କର ପାଞ୍ଚ ଦିନିଆ ନେତୃତ୍ୱ ଏବଂ ଡ଼ିଜିଟାଲ୍ ଦକ୍ଷତା ତାଲିମ୍ ଶିବିର ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଜିଲ୍ଲାର ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ,ସୋରଡା ଏବଂ ପୋଲସରା ବ୍ଳକ୍ ର ୨୮ ଟି 5T ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପ୍ରତି ବିଦ୍ୟାଳୟରୁ ଜଣେ ଜଣେ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ତାଲିମ୍ ର ଜିଲ୍ଳା ସ୍ତରୀୟ ସମ୍ବଳ ପ୍ରଶିକ୍ଷକ ଭାବେ ଭଂଜନଗରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଏବଂ ହିଞ୍ଜିଳି କାଟୁ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବରିଷ୍ଠା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଯୋଗ ଦେଇ 5T ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ମାନଙ୍କର ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପାଇଁ ପ୍ରଧାନ ଶିକ୍ଷକ ମାନେ ସହକାରୀ ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ସହ ଊତ୍ତମ ସମନ୍ଵୟ ରକ୍ଷା କରିବା ଦିଗରେ ଉଭୟ ସମ୍ବଳ ପ୍ରଶିକ୍ଷକ ଆଲୋଚନା କରିଥିଲେ । ସେହିପରି ଡ଼ିଜିଟାଲ୍ ଦକ୍ଷତା ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମର ସମ୍ବଳ ପ୍ରଶିକ୍ଷକ ଭାବେ ଭଞ୍ଜନଗର ଏମ୍ଆଇଏସ୍ କୋର୍ଡିନେଟର୍ ସୁଶୀଲ କୁମାର ସାହୁ ଏବଂ ଧରାକୋଟ ଏମ୍ଆଇଏସ୍ କୋର୍ଡିନେଟର୍ ସନଜ କୁମାର ପାଢୀ ଯୋଗ ଦେଇ ବୈଷୟିକ ଶିକ୍ଷା ଉପରେ ପ୍ରଧାନ ଶିକ୍ଷକ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏହି ଅବସରରେ ମଧ୍ୟାହ୍ନରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଳା ଶିକ୍ଷା ଶାସ୍ତ୍ର ସଂଯୋଜକ ସନ୍ତୋଷ କୁମାର ପଣ୍ଡା ଏବଂ ସାଥ୍ ଟିମ୍ ରୁ ସସ୍ମିତା ପାଢୀ ତାଲିମ୍ ଶିବିର ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ । ତାଲିମ୍ ଶିବିରରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ,ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମ୍ବଳ ପ୍ରଶିକ୍ଷକ ମାନେ ବିଦ୍ୟାଳୟର 5T କାର୍ଯ୍ୟକ୍ରମ, ସ୍ଵଚ୍ଛତା ଏବଂ ପରିବେଶ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି ଏହି ତାଲିମ୍ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )