କାଶୀପୁର ତହସିଲ ସମ୍ମୁଖରେ ଏଆଇକେଏମଏସ୍ ର ଗଣ ବିକ୍ଷୋଭ ।

0 238

କାଶୀପୁର,୦୮/୦୬(ପିପିଟି):ଜମି, ଜଙ୍ଗଲ ଉପରେ ଅଧିକାର, କମ୍ପାନୀର ପ୍ରଦୂଷଣରୁ ମୁକ୍ତି, ଖଣି ପ୍ରଭାବିତ ଲୋକଙ୍କୁ ସହାୟତା ଓ ନିଯୁକ୍ତି ତଥା ଲୋକଙ୍କୁ ମୌଳିକ ସହାୟତା ପ୍ରଦାନ ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ କାଶୀପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଇଫାଡ୍ ଛକ ଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାରେ ବ୍ଳକର ବିଭିନ୍ନ ଗ୍ରାମର ଶହ ଶହ କୃଷକ, ଆଦିବାସୀ,ଦଳିତ ଓ ଖଣି କ୍ଷତିଗ୍ରସ୍ତ ଲୋକ ଯୋଗ ଦେଇଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସଭାରେ ସଂଗଠନର ବ୍ଳକ୍ ସଭାପତି କୃଷ୍ଣ ନାଏକ ସଭାପତିତ୍ଵ କରିଥିଲେ । ସଭାରେ ଉଦବୋଧନ ଦେଇ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସଭାପତି ଭାଲଚନ୍ଦ୍ର ଷଡ଼ଙ୍ଗୀ ବିକାଶ ନାମରେ କାଶୀପୁର ଅଞ୍ଚଳର ସାଧାରଣ ଜନତାଙ୍କୁ ସରକାର ଓ କମ୍ପାନୀ ପ୍ରତାରଣା କରିଛନ୍ତି । ଜମିହରା ଓ ଖଣି ପ୍ରଭାବିତ ଲୋକଙ୍କୁ ନିୟମିତ ଚାକିରୀ ଦେବା ପରିବର୍ତ୍ତେ ମାସିକ ମାତ୍ର ୪୦୦ ଟଙ୍କା ଦେଇ ଗୋତି ଶ୍ରମିକ କରି ରଖିଛି । ବିକାଶ ନାମରେ କମ୍ପାନୀ ବସିଥିବା ବେଳେ ସ୍ଥାନୀୟ ଲୋକମାନେ ପିଇବା ପାଣି, ବିଦ୍ୟୁତ୍, ରାସ୍ତା, ଶିକ୍ଷା ଓ ସ୍ଵାସ୍ଥ୍ୟସେବା ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଶିବରାମ ନାୟକ, ଲକ୍ଷ୍ମୀ ନୃସିଂହ ରଥ, ପଦ୍ମନାଭ ଚୌଧୁରୀ, ନିରଞ୍ଜନ ଆଚାର୍ଯ୍ୟ, ବ୍ଳକ୍ କମିଟି ସମ୍ପାଦକ ବଳରାମ ନାଏକ, ଅର୍ଜନ ଚଣ୍ଡୀ, ପୁରନ୍ଦର ଦଣ୍ଡସେନା, ଭରତ ନାଏକ, ଆଦିବାସୀ ନେତା ବଳି ମାଝି ପ୍ରମୁଖ ଆଜିର ବିକ୍ଷୋଭର ନେତୃତ୍ୱ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ କାଶୀପୁର ବ୍ଳକବାସୀଙ୍କ ୧୮ ଦାବି ସମ୍ଵଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ତହସିଲଦାର ଦାବି ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.