ମାଲକାନଗିରି,୦୪/୦୬(ପିପିଟି): ସମଗ୍ର ଜିଲ୍ଲାରେ ବାଲ୍ୟବିବାହକୁ ଉଛେଦ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ୫୦ ଦିନିଆ କାର୍ଯ୍ୟକ୍ରମ ଗତ ୨୯ ତାରିଖ ଠାରୁ ଆରମ୍ଭ କରାଯାଇଛି। ଏହି ୫୦ ଦିନିଆ କାର୍ଯ୍ୟକ୍ରମର ଆଜି ୪୬ ଦିନ ବିତିଯାଇଥିବା ବେଳେ ଏହି ଅବସରରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏକ ସାମୂହିକ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସମସ୍ତ ଗ୍ରାମମାନଙ୍କରେ ଏହି ଶପଥପାଠ କରାଯାଇଛି। ଜିଲ୍ଲାର ସମସ୍ତ ୧ ୩୨୦ ଅଙ୍ଗନୱାଡି କେନ୍ଦ୍ର, ୧୧୧ ଟି ଗ୍ରାମପଞ୍ଚାୟତ, ୭ ଟି ପଞ୍ଚାୟତ ସମିତି, ୭ ଟି ତହସିଲ, ୧୧ ଟି ଥାନା ଏବଂ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଠାରେ ଏହି ଶପଥପାଠ କରାଯାଇଥିଲା । ଜିଲ୍ଲାପାଳ ବିଶାଳ ସିଂ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ ଜନସାଧାରଣ ମାନଙ୍କୁ ଶପଥପାଠ କରାଇଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ ବିଲୋପ କରିବା ପାଇଁ ଏବଂ ଜିଲ୍ଲାର ସମସ୍ତ କିଶୋର ଓ କିଶୋରୀ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ଦେବା ପାଇଁ ଏକ ସଚେତନତା ସୃଷ୍ଟି କରିବାର ଆହ୍ଵାନ ଆଜିର ଏହି ଶପଥପାଠ ମାଧ୍ୟମରେ କରାଯାଇଥିଲା । ମୋଟ ଜିଲ୍ଲାର ଚାରି ଲକ୍ଷ ଲୋକ ଏହି ବିଶାଳ ଶପଥପାଠ ଉତ୍ସବରେ ଅଂଶଗ୍ରହଣ କରି ଜିଲ୍ଲାର ଇତିହାସରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post