ମାଲକାନଗିରି,୨୬/୦୪(ପିପିଟି): ସରକାର ଗ୍ରାମାଞ୍ଚଳ ରେ ସ୍ଵାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମା ଠାରେ ଗୋଟିଏ ଲେଖାଏଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ (ଏ ଏନ୍ ଏମ୍ ସେଣ୍ଟର) ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଦିବାସୀ ବହୁଳ ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଠାରେ ଏଏନଏମ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଜାତୀୟ ସ୍ଵାସ୍ଥ୍ୟ ମିସନ ଆନୁକୂଲ୍ୟରେ ଏହି ଗୃହଗୁଡିକ ନିର୍ମାଣ କରାଯାଉଥିବା ବେଳେ କାଲିମେଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅତି ନିମ୍ନମାନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ଆଦିବାସୀ ଲୋକମାନଙ୍କ ପାଇଁ ଚିନ୍ତା କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଗୃହ ନିର୍ମାଣ କରିବା ପାଇଁ ବ୍ୟୟବରାଦ କରିଥିବା ବେଳେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ମନମୁଖୀ କାର୍ଯ୍ଯ ଚଳାଇଛନ୍ତି । ସୂଚନା ଅନୁଯାଇ କାଲିମେଳା ବ୍ଲକ ଅନ୍ତର୍ଗତ ମାରିଗେଟା, ତେଲରାଇ ଜାକଲକୋଣ୍ଡି ଭଳି ଅନେକ ସ୍ଥାନରେ ଏହି ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ମାରିଗେଟା ପାଇଁ ୫ ଲକ୍ଷ, ତେଲରାଇ ପାଇଁ ୪ ଲକ୍ଷ ଓ ଜାକଲକୋଣ୍ଡି ପାଇଁ ବ୍ଲକ ଏବଂ ଏନ୍ ଆର ଏଚ୍ ଏମ୍ଏ ତରଫରୁ ୪ ଲକ୍ଷ ୨୫ ହଜାର ଟଙ୍କା ବିନିମୟରେ ଏହି ଗୃହ ନିର୍ମାଣ ଚାଲିଛି । ଏହି ସେଣ୍ଟର ରେ ଚାଲିଥିବା ଗୃହ ନିର୍ମାଣ ପାଇଁ କାଲିମେଳା ଅଞ୍ଚଳର ଜଣେ ଠିକାଦାରଙ୍କୁ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି ଏବଂ ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଏହି ଠିକାଦାର କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ବିନା ଟେଣ୍ଡର ରେ ଏହି କାର୍ଯ୍ୟ ଗୁଡିକ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମାରିଗେଟା, ତେଲରାଇ ଓ ଜାକଲକୋଣ୍ଡା ଠାରେ ହେଉଥିବା ଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ନିମ୍ନମାନର ବାଲି ମେଟାଲ ବ୍ୟବହାର କରି କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି ଏବଂ ଗୃହର ଫାଉଣ୍ଡେସନ ମଧ୍ୟ କମ୍ ଉଚ୍ଚ ର ଏବଂ ପଥର ସ୍ଥାନରେ ଇଟା ବ୍ୟବହାର କରି କାର୍ଯ୍ୟ ହେଇଥିବା ବେଳେ ଏହି ଗୃହ ଗୁଡିକ ଅତି କମ୍ ସମୟ ଭିତରେ ଭୁଶୁଡ଼ି ପଡିବାର ଆଶଙ୍କା ରହିଛି । ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟ ଗୁଡିକ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି କିନ୍ତୁ ମାଲାକାନଗିରି ଠାରେ ଥିବା ଜାତୀୟ ସ୍ଵସ୍ଥ୍ଯ ମିସନ୍ ର ଯନ୍ତ୍ରୀ ଏହି କାର୍ଯ୍ୟ ଗୁଡିକ ତଦାରଖ ନ କରି ଜିଲ୍ଲାରେ ବସି ରହୁଥିବା ବେଳେ ଠିକାଦାର ଜଣକ ମନ ଇଛା କାର୍ଯ୍ୟ ଚଳାଇଛନ୍ତି । କମ୍ ମୂଲ୍ୟର ସମାଗ୍ରୀ ବ୍ୟବହାର କରି ଠିକାଦାର ମାଲାମାଲ ହେଉଛନ୍ତି । ଏଥିସହ ସ୍ୱାସ୍ଥ୍ୟ ବିଭାଗ ରେ ହେଉଥିବା ସମସ୍ତ କାର୍ଯ୍ୟ ଗୁଡିକ ଜଣେ ମାତ୍ର ଠିକାଦାରଙ୍କୁ ଅଧିକାରୀ ଅନୁକମ୍ପା ଦେଖାଇ ସମସ୍ତ କାର୍ଯ୍ୟ ହସ୍ତାନ୍ତର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସମ୍ପୃକ୍ତ ଠିକାଦାର ଅଞ୍ଜନ ରାଉତ ଓରଫ ଲୁନା ଏହି କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଅଞ୍ଜନ ରାଉତଙ୍କ ସ୍ତ୍ରୀ ସ୍ୱlସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଵାମୀଙ୍କୁ କେଉଁ ଆଧାରରେ ଏହି ସବୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟ ଗୁଡିକ ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)