ମାଲକାନଗିରି,୧୭/୦୪(ପିପିଟି): ମାଲକାନଗିରି ଜିଲାରେ ଭରପୂର ରହିଛି ଜଙ୍ଗଲ ସମ୍ପଦ । ମାତ୍ର କେତେ ଜଣ ବିଭାଗୀୟ କର୍ମଚାରୀ ଏବଂ ବନ ସଂରକ୍ଷଣ ସମିତି ଅବହେଳାରୁ ଜଙ୍ଗଲରୁ ଶତାଧିକ ଗଛ କଟାଯାଉଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ପାହାଡ଼ ଉପରେ ଥିବା ନାକାମାମୁଡି ନାରିଙ୍ଗିଝୋଲା ରାସ୍ତା ପାର୍ଶ୍ଵରେ ଶତାଧିକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି । ଏହି ଗଛଗୁଡିକ ରାସ୍ତାପାର୍ଶ୍ଵରେ ପଡ଼ିରହିଛି । ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବା , ନିଜ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦେବା , ଜଙ୍ଗଲ ମାଫିଆଙ୍କୁ ଧରିବାକୁ ଜିଲ୍ଲାରେ ଜଙ୍ଗଲ ଅଞ୍ଚଳର ଗ୍ରାମଗୁଡ଼ିକୁ ନେଇ ୨୦୦୦ରୁ ଉର୍ଦ୍ଧ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି । ସରକାରଙ୍କ ଯୁଗ ଦାନ ପରିଚାଳନା ନିୟମ ଅନୁଯାୟୀ ନିଜ ଗ୍ରାମ ନିକଟ ଜଙ୍ଗଲକୁ ସୁରକ୍ଷା କଲେ ସେହି ଜଙ୍ଗଲରୁ ୫୦ ପ୍ରତିଶତ ଅଧିକାର ବନ ସୁରକ୍ଷା ସମିତ ପାଇବେ । ୮୪ ପ୍ରକାର ଲଘୁ ବନଜାତ ଦ୍ରବ୍ଯ ଅଞ୍ଚଳ ବାସୀ ବିନା ରୟାଲିଟିରେ ସଂଗ୍ରହକରି ଆଦିବାସୀ ଉନ୍ନୟନ ସଂସ୍ଥାକୁ ବିକ୍ର କରିବା , ସୁରକ୍ଷା ଦେଉଥିବା ବନ ସଂରକ୍ଷଣ ସମିତି ଜଙ୍ଗଲରୁ ଶତ ପ୍ରତିଶତ ବାଉଁଶ ବିନା ମୂଲ୍ୟରେ ନିଜର ବ୍ୟବହାର ପାଇଁ ନେଇପାରିବେ ଭଳି ନିୟମ ରହିଛି। ଅନ୍ୟପକ୍ଷରେ ବନ ସୁରକ୍ଷା ସମିତି ଅଞ୍ଚଳର ବାୟିତ୍ବରେ ଥିବା ବନରକ୍ଷୀ ଜଙ୍ଗଲ ସୁରକ୍ଷା , ବନ ସଂରକ୍ଷଣ ସମିତି ସହ ସମ୍ପର୍କ , ଶିକାରୀ , ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତି,ଗଛ କାଟୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହକରି ସମିତି ସହଯୋଗରେ ମାମଲା ରୁଜୁ କରିବା ନିୟମ ଥିଲେ ମଧ୍ୟ ଏହି ନିୟମକୁ ସମ୍ପୂର୍ଣ ଉଲଂଘନ କରାଯାଉଥିବା ଜିଲ୍ଲାରେ ଦେଖିବାକୁ ମିଳିଛି । ଜଙ୍ଗଲରୁ ଗଛ କଟା ଯାଇଥିବା ଅଞ୍ଚଳ ବାଲିମେଳା ବନାଞ୍ଚଳ ଅଧୀନରେ ଯାଉଥିବା ବେଳେ ଏହା କୁଡୁମୁଲୁଗୁମା ଏବଂ ବାଲିମେଳା ବନପାଳ ଉଭୟଙ୍କ ଦାୟିତ୍ବରେ ରହିଛି । ତୁରନ୍ତ ଗଛ କାଟୁଥିବା ଲୋକଙ୍କୁ ଧରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ମାଲକାନଗିର ଡିଏଫଓ ପ୍ରତାପ କଟାପାଲ୍ଲୀଙ୍କୁ ପଚାରିବାରୁ ସେ କହିଲେ ,ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)