ପୋଲସରା,୦୧/୦୪(ପିପିଟି):ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇ ଗ୍ରାମର ଅମିତ ଆଚାର୍ଯ୍ୟ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ତିନି ଅଭିଯୁକ୍ତ ଙ୍କୁ ଆଜି ପୋଲସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି। ଆଜି ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ଗତ ମାସ ୧୮ ତାରିଖ ରାତିରେ ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇ ପୁର ଗ୍ରାମର ଅମିତ କୁମାର ଆଚାର୍ଯ୍ୟ (୨୯ ବର୍ଷ) ବନ୍ଥପଲ୍ଲୀ ଗ୍ରାମ ରୁ ମୋଟର ସାଇକେଲରେ ନିଜ ଗ୍ରାମ କୁ ଫେରିବା ସମୟରେ ବିଲ ମଝିରେ ଗଳା କାଟି ହତ୍ଯା କରାଯାଇଥିଲା। ଏ ସମ୍ପର୍କରେ ଅମିତ ଙ୍କ ବାପା ରାଜେନ୍ଦ୍ର ଆଚାର୍ଯ୍ୟ ୧୯ ତାରିଖ ଦିନ ତିନି ଜଣଙ୍କ ନାମରେ ଏତଲା ଦେଇଥିଲେ। ଫଳରେ ପୋଲିସ ୧୧୩/୨୦୨୨ ନମ୍ବର ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତିନି ଅଭିଯୁକ୍ତ ତପନ ଆଚାର୍ଯ୍ୟ ,ପପିନା ଗୌଡ ଓ ରଞ୍ଜନ ବେହେରା ମୁକ୍ତାମାଳାଦେଇ ପୁର ନିକଟସ୍ଥ ଜଙ୍ଗଲ ରେ ଲୁଚି ଥିବା ସମ୍ପର୍କରେ ଖବର ପାଇ ଚଢ଼ାଉ କରିଥିଲେ ଏବଂ ତିନି ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଗୋଟିଏ ଛୁରୀ କୁ ମଧ୍ୟ ପୋଲିସ ଜବତ କରିଛି। ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ରଙ୍କ ସମେତ ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟ ମଣି ପ୍ରଧାନ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)