ସାନଖେମୁଣ୍ଡି,୧୭/୦୩(ପିପିଟି): ସାମ୍ପ୍ରତିକ ସ୍ଥିତିରେ ରକ୍ତର ଘୋର ସଙ୍କଟ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଣଜା ପଞ୍ଚାୟତ ଅନ୍ତର୍ଗତ ତିଳେଶ୍ୱର ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗାଁରେ ପାଞ୍ଚ ଦିନ ଧରି ହେବାକୁ ଥିବା ରାଧାମାଧବ ଦୋଳ ଉତ୍ସବର ପ୍ରଥମ ଦିନରେ ଲୋକେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଉକ୍ତ ରକ୍ତଦାନ ଶିବିରରେ ସମାଜର ବିଭିନ୍ନ ଶ୍ରେଣୀର ରକ୍ତଦାତାଙ୍କୁ ଦେଖିବାକୁ ମିଳିଥିଲା । ହିନ୍ଦୁ ହେଉକି ଖ୍ରୀଷ୍ଟିଆନ/ମୁସଲମାନ, ଧନୀ ହେଉକି ଗରିବ ଏଠି ସମସ୍ତେ ରକ୍ତଦାନ କରି ଦୋଳ ଉତ୍ସବକୁ ଆହୁରି ରଙ୍ଗୀନ କରିଦେଇଥିଲେ । ସବୁଠୁ ରୋମାଞ୍ଚକ ଥିଲା ଉକ୍ତ ରକ୍ତଦାନ ସମ୍ବନ୍ଧିତ ଖବର ସଂଗ୍ରହ କରିବାକୁ ଯାଇଥିବା “ଉକ୍ତଳ ମେଲ”ର ସାମ୍ବାଦିକ ଜଗନ୍ନାଥ ପାଣିଗ୍ରାହୀ ନିଜେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସାମ୍ବାଦିକ କେବଳ ଖବର କରନ୍ତି ତାହାନୁହେଁ, ବରଂ ରକ୍ତଦାନ କରିମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇ ପାରନ୍ତି । ଏହି ରକ୍ତଦାନ ଶିବିରରେ ସମାଜର ବିଭିନ୍ନ ଶ୍ରେଣୀର ରକ୍ତଦାତାଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ଶିକ୍ଷକ , ସାମ୍ବାଦିକ, ଛାତ୍ର , ବ୍ୟବସାୟୀ , ସମାଜସେବୀ ଆଦି ବ୍ୟକ୍ତି ବିଶେଷ ରକ୍ତ ଦାନ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ମୋଟ ୪୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ । ରାଧାମାଧବ ଦୋଳୋତ୍ସବର ସଭାପତି ଅଜିତ ବରାଡ଼,ସମ୍ପାଦକ ଦୀପକ କୁମାର ଜେନା ଏବଂ ଅନୁଷ୍ଠାନର ସ୍ଵେଚ୍ଛାସେବୀ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post