ଭଞ୍ଜନଗର,୧୦/୦୨(ପିପିଟି): ଭଞ୍ଜନଗର ବାଉଁଶଲୁଣ୍ଡି ବାଇପାସ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ଏକ ଟ୍ରକକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଭଞ୍ଜନଗର ଥାନା ଅଗଝୋଳ ଗ୍ରାମର ଜଗନ୍ନାଥ ପ୍ରଧାନ ନିଜ ବଡ ଭାଇର ବିବାହ ଉତ୍ସବ ଲଣ୍ଡେଇ ସାହିରେ ହେଉଥିବା ବେଳେ ସେଠାରୁ ଭୋଜି ଖାଇ ସାଥି ଜଗନ୍ନାଥ ବେହେରାଙ୍କ ସହ ବାଇକ ରେ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଅଟକି ଥିବା ଏକ ଟ୍ରକକୁ ଜୋରରେ ଧକ୍କା ଦେଇଥିଲା।ଫଳରେ ବାଇକଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଦୁହେଁ ରାସ୍ତା ଉପରେ କଚାଡି ହୋଇ ଗୁରୁତର ଆହତ ହୋଇଥିଲେ।କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ଜଗନ୍ନାଥ ପ୍ରଧାନକୁ ମୃତ ଘୋଷଣା କରିଥିବା ବେଳେ ତାର ସାଥିକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଏଖବର ପ୍ରଚାରିତ ହେବା ପରେ ଜଗନ୍ନାଥର ପରିବାରରେ ଶୋକର ଛାୟା ଖେଳିଯାଇଛି। ଗୁରୁବାର ହେବାକୁ ଥିବା ଭୋଜି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ପୋଲିସ ଉକ୍ତ ବାଇକ ଟିକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରହିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )