ମାଲକାନଗିରି,୨୨/୦୧(ପିପିଟି): ଜାତୀୟ ଭୋଟର ଦିବସ ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସର ୨୫ ତାରିଖ ଦିନ ପ୍ରତ୍ୟେକ ବୁଥ୍ , ବ୍ଲକ୍ , ସବ-ଡ଼ିଭିଜନ ଏବଂ ଜିଲ୍ଲା ସ୍ତରୀୟ ସାରା ଭାରତରେ ପାଳନ କରାଯାଇଥାଏ । ଚଳିତ ଦ୍ବାଦଶ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଅଛି । ଏଥି ପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରତିଯୋଗିତା ଭାରତ ସରକାରଙ୍କ ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଅନ୍ ଲାଇନ ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତ କରାଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ ଦ୍ବାଦଶ ଜାତୀୟ ଭୋଟର ଦିବସ ପାଳନ ସମୟରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଆଜି ମାଲକାନଗିରି ଜିଲ୍ଲାରେ ଥିବା ୧୩ ଟି ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ଜଣ ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଯୋଗ ଦେଇଥିବା ବେଳେ ଚିତ୍ରାଙ୍କନରେ ୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଡଃ.ରଞ୍ଜନ କୁମାର ସ୍ବାଇଁ ସମସ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କୁ ଯୋଗା ଯୋଗ କରିବା ସହିତ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ସହାୟକ ଜିଲ୍ଲାପାଳ ସ୍ନିଗ୍ଧା ଚୌଧୁରୀ ଏବଂ ପ୍ରଧାନ ଶିକ୍ଷକ ଏ. ଈଶ୍ବର ରାଓ ଅନ୍ୟତମ ବିଚାରକ ଭାବେ ଯୋଗ ଦେଇଥିଲେ ଓ ଡଃ.ଆଶିଷ ରାଠୋର ଏଥ୍ରେ ଟେକ୍ନିସେନ ଭାବେ ସମସ୍ତ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post