ମାଲକାନଗିରି,୨୭/୧୨(ପିପିଟି): ପୋଖରୀରେ ମାଛ ଚାଷ କରି ହନ୍ତସନ୍ତ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରଶାସନକୁ ଗୁହାର କରି ଚାରିବର୍ଷ ବିତିଗଲାଣି, ମହିଳାମାନଙ୍କୁ ମିଳୁନି ନ୍ୟାୟ, ଶୁଣୁ ନାହିଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବିଭାଗ । ଶେଷରେ ବାଧ୍ୟହୋଇ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମାଲକାନଗିରି ଜିଲ୍ଲା ବୀର ଲକ୍ଷ୍ମଣ ପୁରୁ ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ପଦର ଗ୍ରାମର ଗୁପ୍ତେଶ୍ଵର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୨୦୧୭ ମସିହାରେ ନିଜ ଗାଁରେ ଥିବା ଏକ ପୋଖରୀରେ ମାଛ ଚାଷ ପାଇଁ ପଞ୍ଚାୟତରୁ ପୋଖରୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାଇଥିଲେ ।ମାଛ ଯାଆଁଳ ପୋଖରୀରେ ଛଡା ଗଲା । ମାଛ ବଡହୋଇ ଧରି ବିକିବାକୁ ଯିବା ସମୟରେ ମାର୍କାପାଲ୍ଲୀ ପଞ୍ଚାୟତର କିଛି ଗ୍ରାମବାସୀ ଆସି ଏହି ପୋଖରୀ ସେମାନଙ୍କ ଗାଁର ପୂର୍ବ ପୁରୁଷମାନଙ୍କର କହି ମହିଳାମାନଙ୍କ ସହ ଗଣ୍ଡଗୋଳ କରି ପୋଖରୀରେ ଛଡାଯାଇଥିବା ସମସ୍ତ ମାଛକୁ ଜୋର ଜବରଦସ୍ତ ନେଇଯାଇଥିଲେ । ଏହାପରେ ଏସଏଚଜି ମହିଳାମାନେ ନିଜ ପଞ୍ଚାୟତରେ ଅଭିଯୋଗ କରିଥିଲେ ।ପଞ୍ଚାୟତରେ ସେମାନଙ୍କୁ ନ୍ୟାୟ ନ ମିଳିବାରୁ ସେମାନେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ବାବୁ ସେମାନଙ୍କ ଅଭିଯୋଗକୁ ଗ୍ରହଣ ନକରି ଏହି କେସ୍ ତହସିଲର କହି ତହସିଲଦାରଙ୍କ ପାଖକୁ ମହିଳାମାନଙ୍କୁ ପଠାଇ ଦେଇଥିଲେ । ସେଠାରେ ତହସିଲଦାର ଏହି ମାମଲା ତୁମ ପଞ୍ଚାୟତର କହି ସେମାନଙ୍କୁ ସେଠାରୁ ବିଦା କରିବା ପରେ ନିରାଶ ହୋଇ ଏସଏଚଜି ମହିଳାମାନେ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ନ୍ୟାୟ ନ ମିଳିବାରୁ ଶେଷରେ ନିରାଶ ହୋଇ ବରିଷ୍ଠ ଓକିଲଙ୍କ ସହାୟତାରେ ମାମଲା ରୁଜୁ କରାଯାଇଥିଲା । ନିୟମ ମୁତାବକ ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଗଣ୍ଡଗୋଳକୁ ଆଶଙ୍କା କରି ୧୪୪ ଧାରା ରୁଜୁ କରାଯାଇଥିଲା । କିନ୍ତୁ ତତ୍କାଳୀନ ଉପ-ଜିଲ୍ଲାପାଳ ଏହା ଉପରେ କୌଣସି ବିଚାର କରିନଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି । ଏହି ସମସ୍ୟା ବିଷୟରେ ବର୍ତ୍ତମାନ ଉପ-ଜିଲ୍ଲାପାଳଙ୍କୁ ପଚାରି ବୁଝିବାରୁ ସେ ଏହି ଘଟଣା ଉପରେ ଅବଗତ ଥିବା ସହ ତହସିଲଦାର ଓ ଥାନା ଅଧିକାରୀଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଦୁଇ ଦିନ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଅପର ପକ୍ଷରେ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଲା ପରେ ଉପ-ଜିଲ୍ଲାପାଳ ତତ୍ପର ହୋଇଛନ୍ତି । ତେବେ ମହିଳାମାନଙ୍କୁ କେବେ ଉଚିତ ନ୍ଯାୟ ମିଳିବ ଆଗାମୀ ଦିନରେ ଜଣା ପଡିବ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)