ଡିସେମ୍ବର ୬ ତାରିଖରେ ବ୍ରହ୍ମପୁରରେ ହେବ କୃଷକ ମହାପଞ୍ଚାୟତ;ଭାରତ ବର୍ଷର ବିଶିଷ୍ଟ କୃଷକ ନେତା ରାକେଶ ଟିକାୟତ ଏବଂ ବହୁ ତୁଙ୍ଗ କୃଷକ ନେତା ଯୋଗଦେବେ ।
ବ୍ରହ୍ମପୁର,୧୭/୧୧(ପିପିଟି): ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ସ୍ଥିତ ରାମଲିଙ୍ଗମ୍ ଟ୍ୟାଙ୍କ ରୋଡ ଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ କୃଷକ ସମାବେଶ ବା କୃଷକ ମହା ପଞ୍ଚାୟତ ଆଗାମି ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡିଶା ପକ୍ଷରୁ ବ୍ରହ୍ମପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟ୍ୟମରେ ଘୋଷଣା କରିଛନ୍ତି ।
କେନ୍ଦ୍ର ମୋଦି ସରକାରଙ୍କର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା,ଏମ୍ ଏସ୍ ପି କୁ ଆଇନଗତ ମାନ୍ୟତା ପ୍ରଦାନ କରିବା, ଲଗାଣ ବର୍ଷାରେ କୃଷକମାନଙ୍କ ଧାନ ଓ ଅନ୍ୟାନ୍ୟ ଫସଲର ଯେଉଁ କ୍ଷୟକ୍ଷତି ହୋଇଛି ତାର ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା, କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଧାନକୁ ମଣ୍ଡି ଜରିଆରେ ସଂଗ୍ରହ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ, ଜଙ୍ଗଲ ଅଧିକାର ଆଇନକୁ ବିକୃତ କରିବା ବଦଳରେ ଆଦିବାସୀ ଓ ବନବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଓ ସୁରକ୍ଷା ଦାୟିତ୍ୱ ପ୍ରଦାନ କରିବା ଆଦି ପ୍ରସଙ୍ଗ ଉପରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ଓଡିଶା ର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ବୃନ୍ଦ ଏବଂ ଜିଲ୍ଲାର ତୁଙ୍ଗ କୃଷକ ନେତୃତ୍ୱମାନେ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି । ଏହା ସହ ଭାରତ ବର୍ଷର ବିଶିଷ୍ଟ କୃଷକ ନେତା ରାକେଶ ଟିକାୟତଙ୍କ ସହ ସଂଯକ୍ତ କୃଷକ ମୋର୍ଚ୍ଚାର ବହୁ କେନ୍ଦ୍ରୀୟ ନେତୃବୃନ୍ଦ ଯୋଗଦେବେ ବୋଲି ଏକ ପ୍ରେସ୍ ଇସ୍ତହାରରେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡିଶା ରାଜ୍ୟ ଆବାହକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ, ନରେନ୍ଦ୍ର ମହାନ୍ତି, ଶ୍ରୀହର୍ଷ ରଥ, ଅଖିଳ ଭାରତ କୃଷକ ସଭାର ରାଜୀବ ଲୋଚନ ପଣ୍ଡା, ନୀଳକଣ୍ଠ ଦାସ, ଓଡିଶା କୃଷକ ସଭା ପକ୍ଷରୁ ପି ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଋଷିକୂଲ୍ୟା ରୟେତ ମହାସଭା ର ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ଏ ଆଇ କେ ଏମ ଏସ ପକ୍ଷରୁ ପ୍ରତାପ ନାୟକ, ଲଡ଼ୁ ଡାକୁଆ, ପ୍ରତାପ ପ୍ରଧାନ, ଏ ଆଇ କେ କେ ଏମ ଏସ ପକ୍ଷରୁ ନିମାଇ ଚରଣ ସାହୁ, ନାରାୟଣ ସାହୁ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ପି.ପାର୍ବତୀ ଏବଂ ଏ ଆଇ କେ ଏମ କେ ଏସ ପକ୍ଷରୁ ନିରାକାର ନାୟକ ପ୍ରମୁଖ ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ଥିଲେ ।