ବେଲଗୁଣ୍ଠା ବ୍ଳକ୍ ରେ ବର୍ଷା ଅଭାବରୁ ତଳି ପୋଡ଼ି; ଦେଖାଗଲାଣି ମରୁଡ଼ି ସମସ୍ୟା ।

0 264

ବେଲଗୁଣ୍ଠା,୦୮/୦୮(ପିପିଟି), ଶ୍ରାବଣ ମାସ ସରିବାକୁ ବସିଥିଲେ ମଧ୍ୟ ବେଲଗୁଣ୍ଠା ବ୍ଲକର ସବୁ ପଞ୍ଚାୟତ ଏବଂ ଏନ୍ଏସି ରେ ବର୍ଷା ଅଭାବ ଯୋଗୁଁ ମରୁଡ଼ି ସମସ୍ୟା ଉପୁଜିଛି । ପ୍ରଥମେ ଚାଷୀ ମାନେ ବୁଣିଥିବା ବହୁ ତଳି ମହିଷା ଏବଂ ପତ୍ରପୋଡ଼ା ରୋଗ ଯୋଗୁଁ ନଷ୍ଟ ହୋଇଯାଇଥିବା ବେଳେ ବଳକା ବଞ୍ଚିଥିବା ତଳି ଏବେ ବର୍ଷା ଅଭାବରୁ ପୋଡ଼ି ନଷ୍ଟ ହୋଇଗଲାଣି । କିଛି ଦିନ ତଳେ କିଛି ଚାଷୀ ଟ୍ୟାଙ୍କର୍ ମାଧ୍ୟମରେ ଜଳ ସେଚନ କରି ତଳି ଗୁଡ଼ିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରବଳ ଖରା ହେତୁ ନଦୀ, ନାଳ,କୂଅ, ପୋଖରୀ ଶୁଖିଲା ପଡ଼ିବା ହେତୁ ବର୍ତ୍ତମାନ ଜମିରେ ଜଳ ସେଚନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଜମି ସବୁ ଶୁଖି ଯିବା ସହ ଧାନ ତଳି ଗୁଡ଼ିକ ମଧ୍ୟ ଶୁଖିଯିବା ଯୋଗୁଁଦିନକୁଦିନ ସେଗୁଡ଼ିକ ରୋଇବା ପାଇଁ ଅନୁପଯୁକ୍ତ ହୋଇଗଲାଣି । ଅନ୍ୟ ଦିଗରେ ବର୍ତ୍ତମାନ ବହୁ ବିଳମ୍ବ ହୋଇଯାଇଥିବା ଯୋଗୁଁ ପୁଣି ଥରେ ତଳି ପକାଇ ରୋଇବା ମଧ୍ୟ ଅସମ୍ଭବ । ତେଣୁ ଜମିକୁ ଭରସା କରିଥିବା ବ୍ଳକ୍ ର ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରଥମେ କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଭୁଷୁଡି ଯାଇଥିବା ବେଳେ ଏବେ ପୁଣି ତଳି ମରୁଡ଼ି ସେମାନଙ୍କୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି । ତେଣୁ ବେଲଗୁଣ୍ଠା ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ରୂପେ ଘୋଷଣା କରି ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବହୁ ଚାଷୀ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.