ମାଲକାନଗିରି,ତା:୨୯/୦୬(ପିପିଟି); ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପନି ପରିବା ଦର ଆକାଶ ଛୁଆଁ । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକମାନଙ୍କ ଜୀବନ ଜୀବୀକା ବିପନ୍ନ ହୋଇ ପଡିଥିବା ବେଳେ ଦରଦାମ ବୃଦ୍ଧି ଯୋଗୁଁ ବେଡି ଉପରେ କୋରଡା ମାଡ ସଦୃଶ୍ଯ ଆର୍ଥିକ ମେରୁଦଣ୍ଡ ଦୋହଲି ପଡିଛି । ଅନ୍ଯପକ୍ଷରେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଭାବରେ ସମସ୍ତଙ୍କୁ ପ୍ରତିଦିନ ପନିପରିବାର ଆବଶ୍ଯକତା ରହିଥିବା ବେଳେ ଏହାର ଦରଦାମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ପ୍ରଶାସନ ନିଷ୍କ୍ରିୟ ଥିବାରୁ ପନିପରିବା ଦୋକାନୀମାନଙ୍କ ମନମୁଖୀ ଶାସନ ଦେଖିବାକୁ ମିଳିଛି । ବର୍ତ୍ତମାନ ମାଲକାନଗିରି ସଦରମହକୁମାରେ ପନିପରିବା ଦର ଉପରେ ଆଲୋକପାତ କଲେ ଜଣା ଯାଏ ଯେ,କେଉଁ ପନିପରିବାର ଦର କିଗ୍ରା ପ୍ରତି କେତେ ମୂଲ୍ଯ ରହିଛି । ପନିପରିବା ମଧ୍ଯରେ ବିନସ୍ କିଗ୍ରା ପ୍ରତି ୮୦/-ଟଙ୍କା, ସିମିଲା ମରିଚ କିଗ୍ରା ୧୪୦/-, ଫୁଲ କୋବି କିଗ୍ରା ୬୦ ରୁ ୮୦/-ଟଙ୍କା ,କଞ୍ଚା କଦଳୀ କିଗ୍ରା ୪୦/-ଟଙ୍କା,ମୂଳା କିଗ୍ରା ୪୦/-ଟଙ୍କା,ପତ୍ର କୋବି କିଗ୍ରା ୪୦/-ଟଙ୍କା,ଜହ୍ନି କିଗ୍ରା ୫୦/-ଟଙ୍କା,କଲରା କିଗ୍ରା ୭୦/-,ବାଇଗଣ କିଗ୍ରା ୫୦/-ଟଙ୍କା,ମୁନିଗା କିଗ୍ରା ୧୦୦/-ଟଙ୍କା,ଝୁଡୁଙ୍ଗ କିଗ୍ରା ୫୦/- ଟଙ୍କା, ବରବଟି କିଗ୍ରା ୫୦/-,ଭେଣ୍ଡି କିଗ୍ରା ୪୦/-ଟଙ୍କା,ପୋଟଳ କିଗ୍ରା ୪୦/-ଟଙ୍କା,କାଙ୍କଡ କିଗ୍ରା ୮୦/-ଟଙ୍କା, ଟମାଟ କିଗ୍ରା ୩୦/-ଟଙ୍କା, ସାରୁ କିଗ୍ରା ୪୦/ଟଙ୍କା,ଭଣ୍ଡା କିଗ୍ରା ୪୦/-ଟଙ୍କା,କୁନ୍ଦୁରି କିଗ୍ରା ୪୦ /- ଟଙ୍କା, କାକୁଡି କିଗ୍ରା ୩୦/-, ଖମ୍ବ ଆଳୁ କିଗ୍ରା ୪୦/-,ଆଳୁ କିଗ୍ରା ୨୦/-ଟଙ୍କା,ପିଆଜ ୨୦/-ଟଙ୍କାରେ ବିକ୍ରି ହେଉଛି । ତେବେ ଦିନକୁ ଦିନ ପନିପରିବାର ଦାମ କ୍ରମଶଃ ବୃଦ୍ଧି ପାଉଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନ ନିରବ ରହିବା ଯୋଗୁଁ ସାଧାରଣ ଖାଉଟି ମନରେ ଅସନ୍ତୋଷ ଦେଖା ଦେଇଛି । ଏହା ବ୍ଯତୀତ ଖାଇବା ତେଲ,ଡାଲି,ଚାଉଳ, ଚଣା,ମାଛ,ମାଂସ ଆଦି ସାମଗ୍ରୀ ଦର ବୃଦ୍ଧି ମଧ୍ଯବିତ୍ତ,ନିମ୍ନ ମଧ୍ଯବିତ୍ତ ପରିବାର ବର୍ଗଙ୍କ ଆର୍ଥି ମେରୁଦଣ୍ଡକୁ ଦୋହଲାଉଥିବା ବେଳେ ମହଙ୍ଗା ମାଡରେ ସାଧାରଣ ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି । ଅନ୍ଯପକ୍ଷରେ ଲୋକମାନଙ୍କ ନିକଟରେ କରୋନା ଯୋଗୁଁ ହାତରେ ରୋଜଗାରର କୌଣସି ମାଧ୍ଯମ ନଥିବା ବେଳେ ସମସ୍ତ ଖାଉଟି ସାମଗ୍ରୀର ଆକାଶ ଛୁଆ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଏଥି ପାଇଁ ଜିଲ୍ଲା ପ୍ରଶାସନ ଧ୍ଯାନ ଦେବାକୁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)