ଉଲୁଣ୍ଡା,୨୮/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦରମହକୁମା ଠାରେ ଥିବା ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ୨୦୦୩-୦୪ ରାଜ୍ୟ ସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ୨୦ ଲକ୍ଷ ଓ ଡିଆରଡିଏ ବିଭାଗରୁ ୨ ଲକ୍ଷ ମୋଟ ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସରକାରୀ ବସଷ୍ଟାଣ୍ଡ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଖି ଆଢୁଆଳରେ ରହିଯାଇଛି । ୨୦୦୬ ମସିହା ଡିସେମ୍ବର ୭ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ତତ୍କାଳୀନ ଖଣି, ଇସ୍ପାତ, ଯୋଜନା ଓ ସମନ୍ବୟ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ବସାଷ୍ଟାଣ୍ଡର ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍ଘାଟନ ପରଠୁଁ ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହାର କାନ୍ଥରେ ଆଜି ପର୍ଯ୍ୟନ୍ତ ଚୁନ ଟିକିଏ ମଧ୍ୟ ଲାଗିନଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାବେଳେ ମୁଖ୍ୟ ଦୁଆରରେ ସର୍ବଦା ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ବର୍ଷାରେ ଯାତ୍ରୀ ଭାରି ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଦୁଃଖ କଥା ଏଠାରେ ପରିଶ୍ରାଗାର ନଥିବାରୁ ବିଶେଷ କରି ମହିଳା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶ୍ରୀ ବେହେରା ଲଗାତର ଏହି ଅଞ୍ଚଳରୁ ତିନି ତିନି ଥର ପ୍ରତିନିଧିତ୍ବ କରି ବର୍ତ୍ତମାନ ପରିବହନ ବିଭାଗର ମନ୍ତ୍ରୀ ଥାଇ ସୁଦ୍ଧା ଏହି ବସଷ୍ଟାଣ୍ଡ ପ୍ରତି ଆଦୌ ଦୃଷ୍ଟି ଦେଇନଥିବା ଅଭିଯୋଗ ହେଉଛି । ବସଷ୍ଟାଣ୍ଡଟିର ଏଭଳି ଦୁରବସ୍ଥା ନେଇ ସ୍ଥାନୀୟ ଜନସାଧାରଣ ତଥା ଯାତ୍ରୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏହା କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)