ଦିଗପହଣ୍ଡି,୧୮/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗରରେ ରହିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଚଳିତବର୍ଷର ଆଡ଼ମିଶନ ଓ ଟ୍ଯୁସନ ଫି ଛାଡ ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଅଭିଭାବକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେବାକୁ ଲାଗିଛି । ଯାହାଫଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନ ଦେଇ ଅନଲାଇନ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସବୁଠାରୁ ବଡ଼କଥା ଯେ କରୋନା ମହାମାରୀ ଯୋଗୁଁ ଲୋକମାନେ ଜୀବିକା ହରାଇବା ସହ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି । ଏଭଳି ସ୍ଥିତିରେ ପିଲାମାନଙ୍କର ବିଦ୍ୟାଳୟ ଆଡ଼ମିଶନ ଓ ଟ୍ଯୁସନ ଫି ବାନ୍ଧିବା ନିମନ୍ତେ କଷ୍ଟକର ହୋଇପଡ଼ିଥିବା ଜଣାପଡିଛି । ଯାହାକୁ ନେଇ ପୂର୍ବରୁ ଅଭିଭାବକ ମାନେ ସ୍ଥାନୀୟ ବିଦ୍ୟାମନ୍ଦିର କର୍ତ୍ତୃପକ୍ଷଙ୍କୁ ଫି ଛାଡ କରିବା ପାଇଁ ଏକ ଦାବି ପ୍ରଦାନ କରିଥିଲେ । ତେବେ ପୁଣିଥରେ ଅଭିଭାବକ ସଂଘ ସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ବରେ ଅଭିଭାବକ ମାନେ ଏକତ୍ରିତ ହୋଇ ଛାତ୍ରଛାତ୍ରୀଙ୍କ ଛଅ ମାସର ଟ୍ଯୁସନ ଫି ସହିତ ଚଳିତବର୍ଷର ଆଡ଼ମିଶନ ଫି ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହାପରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ଓ ଲକ୍ଷ୍ମୀକାନ୍ତ ମିଶ୍ର ସମେତ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପରେ ବିଦ୍ୟାମନ୍ଦିର ପକ୍ଷରୁ ଆଡ଼ମିଶନ ଫି ବାବଦରେ ୫ ଶହ ଟଙ୍କା ଏବଂ ୬ ମାସ ପରିବର୍ତ୍ତେ ୩ ମାସର ଟ୍ଯୁସନ ଫି ଛାଡ କରାଯିବ ପରେ ଅଭିଭାବକମାନେ ଧାରଣାରୁ ଓହରି ଥିଲେ । ଏହି ଧାରଣା ସମୟରେ ସଂଘ ସଭାପତି ଶ୍ରୀ ରଥଙ୍କ ସମେତ ଅଭିଭାବକ ପ୍ରଦୀପ ମହାପାତ୍ର , ରାଜେନ୍ଦ୍ର ତ୍ରିପାଠୀ , ଟୁକୁନା ପ୍ରଧାନ , ପ୍ରିୟରଞ୍ଜନ ପଟ୍ଟନାୟକ , ଭବାନୀ ଶଙ୍କର ପଣ୍ଡା,ସୁନୀଲ ପଣ୍ଡା ସମେତ ବହୁ ଅଭିଭାବକ ଏଥିରେ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )