ଭୁବନେଶ୍ଵର,୦୨/୦୬:ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ୬୮ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ବୁଧବାର ସାଢେ ୫ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପରଲୋକ ନେଇ ତାଙ୍କ ସଂପର୍କୀୟ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ। ଦୀର୍ଘ ୩୦ ବର୍ଷ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ। ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟ୍ରୁ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜୁ ଜନତା ଦଳ(ବିଜେଡି)ରେ ନିଜର ରାଜନୈତିକ ଜୀବନକୁ ଆଗେଇ ନେଇଥିଲେ। ସେ ବିଜେଡିର ଜଣେ ବରିଷ୍ଠ ଚେହେରା ଥିଲେ।୧୯୫୩ ମସିହା ଜୁଲାଇ ୨୮ରେ ଜନ୍ମ ଗ୍ରହଣ କରିଥିବା ବିଜେଡିର ଏହି ପୁରୁଖା ନେତା ସରକାରରେ ଅନେକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣରୁ ୨୦୧୯ରେ ନିର୍ବାଚନରୁ ସନ୍ନ୍ୟାସ ନେଇଥିଲେ। ତାଙ୍କ ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡି ଟିକେଟରେ ଉକ୍ତ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।