ଗଞ୍ଜେଇ ମାଫିଆଙ୍କ କବଳରେ ମାଲକାନଗିରି ଉପ-କାରାଗାର ।

0 579

ମାଲକାନଗିରି,ତା:୦୨/୦୬(ପିପିଟି);ବର୍ତ୍ତମାନ ଗଞ୍ଜେଇ ମାଫିଆଙ୍କ କବଳରେ ମାଲକାନଗିରି ଉପ -କାରାଗାର ରହିଛି ।ଅର୍ଥ ବଳରେ ଏଠାରେ ପଞ୍ଚତାରାକା ହୋଟେଲ ପରି ସମସ୍ତ ବିଳାସ ବ୍ଯସନ ଉପଲବ୍ଧ । ମାସିକ ଟଙ୍କା ଦେଲେ ଫୋନ କରିବାର ସୁବିଧା କରାଯାଇଛି । ମାଲକାନଗିରି ଉପ-କାରାଗାର ଅଧିକ୍ଷକ ସଞ୍ଜୟ ବର୍ମା ଏହି ଉପ-କାରାଗାରଟିକୁ ବ୍ଯବସାୟିକ ପେଣ୍ଠ ସ୍ଥଳୀରେ ପରିଣତ କରି ମାସିକ ମୋଟା ଅଙ୍କର ଆୟ କରୁଥିବା ଅଭିଯୋଗ ହୋଇଛି । ବର୍ଷକୁ ଥରେ ଦୀର୍ଘ କାଳିନ ଦଣ୍ଡ ଭୋଗୁଥିବା କଏଦୀ ନିଜ ଘରକୁ ଯିବାର ବ୍ଯବସ୍ଥା ରହିଥିଲେ ମଧ୍ଯ ଦୁଇ ହଜାର ଟଙ୍କା ଲାଞ୍ଚ ନଦେଲେ ପାରୋଲରେ ଯାଇ ପାରୁନି ଦୀର୍ଘ କାଳିନ ସଜା ଭୋଗୁଥିବା କଏଦୀ ବୋଲି ସାଙ୍ଘାତି ଅଭିଯୋଗ ଆସିଛି ସଞ୍ଜୟ ବର୍ମାଙ୍କ ନାମରେ । ଏପରି ଅଭିଯୋଗର ଆଣିଛନ୍ତି ଜଣେ ହତ୍ଯା ଅପରାଧରେ ୧୫ ବର୍ଷ ସଜା କାଟୁଥିବା ଜଣେ କଏଦୀ ଗୁଣ୍ଡୁ ମାଦ୍ରୀ ।ସେ ବର୍ତ୍ତମାନ ପାରୋଲରେ ଆସିବା ପରେ ଉପ-କାରାଗରର ଅଧିକ୍ଷକଙ୍କ ଗୁମୁର ଖୋଲିଛନ୍ତି ଗଣ ମାଧ୍ଯମ ସମ୍ମୁଖରେ । ସେ କହିଛନ୍ତି ଯେ ମାଲକାନଗିରି ଉପ-କାରାଗାରେ ବହୁ ଗଞ୍ଜେଇ ମାଫିଆ ରହୁଥିବା ବେଳେ ସେମାନଙ୍କ ହାତରେ ପ୍ରଚୁର ପରିମାଣର ଟଙ୍କା ରହିଛି । ଏଣୁ ଜେଲ୍ ମଧ୍ଯରେ ସ୍ବତନ୍ତ୍ର ଭାବରେ ପଞ୍ଚତାରକା ହୋଟେଲ ପରି ରନ୍ଧନ କରାଯାଇ ଗଞ୍ଜେଇ ମାଫିଆମାନଙ୍କୁ ପରସା ଯାଉଥିବା ବେଳେ ବାହାରୁ ମଧ୍ଯ ରୁଚି ପୂର୍ଣ୍ଣ ଖାଦ୍ଯ ମଗା ଯାଉଛି ସେମାନଙ୍କ ପାଇଁ । ଗଞ୍ଜେଇ ମାଫିଆମାନଙ୍କୁ ଆଦେଶ ମୁତାବକ ଚିକେନ୍ ,ମଟନ୍,ବିରିଆନି,ଅଣ୍ଡା ପରସା ଯାଉଥିବା ବେଳେ ସାଧାରଣ ଗରିବ ବନ୍ଦୀମାନଙ୍କୁ ପାଣିଆ ଡାଲି, ପୋଚକା ପୋକଡା ପନି ପରିବା ତପକାରୀ ଆଦି ଅତି ନିମ୍ନମାନର ଖାଦ୍ଯ ଖାଇବାକୁ ଦିଆ ଯାଉଛି । ପ୍ରତି ସପ୍ତାହରେ ପ୍ରତ୍ଯେକ ବନ୍ଦୀମାନଙ୍କୁ ଆମିଷ ତରକାରୀ ଦେବାର ନିୟମ ଥିଲେ ମଧ୍ଯ ସାଧାରଣ ଗରିବ ବନ୍ଦୀମାନଙ୍କୁ ସଂପୂର୍ଣ୍ଣ ଅଣ ଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏହା ଛଡା ଜେଲ୍ ଭିତରେ ରହି କୌଣସୀ ଅନ୍ତେବାସୀ ତାଙ୍କ ସଂପର୍କୀୟମାନଙ୍କୁ ଫୋନ କରିବା ବ୍ଯବସ୍ଥା ସଂପୂର୍ଣ୍ଣ ବାରଣ ଥିବା ବେଳେ ବ୍ଯବସାୟିକ ମନୋଭାବ ରଖି ଜେଲ୍ ଅଧିକ୍ଷକ ଅନ୍ଯନ୍ଯ ନାମରେ ସିମ କ୍ରୟ କରି ମୋବାଇଲ ଭଡା ସୂତ୍ରରେ ଦେଇଥାନ୍ତି । ଏ ବାନଦରେ କଏଦୀମାନଙ୍କ ଠାରୁ ମୋବାଇଲ ବ୍ଯବହାର ଲାଗି ମାସିକ ୨ ହଜାରରୁ ୫ ହଜାର ଟଙ୍କା ଭଡା ସୂତ୍ରରେ ଆଦାୟ କରନ୍ତି । ଏହା ବ୍ଯତୀତ ଜେଲରେ ଝାଡୁ ମାରିବା ,ମଇଳା ସଫା କରି ଜେଲ୍ ବାହାରେ ପକାଇବା ପାଇଁ ୧୦ ଜଣ କଏଦୀଙ୍କୁ ଦୈନିକ ବାହାରକୁ ପଠା ଯାଉଛି । କଏଦୀମାନଙ୍କ ସ୍ବାସ୍ଥ୍ଯ ପ୍ରତି ଚରମ ଅବହେଳା କରା ଯାଉଥିବା ବେଳେ ଗତ ବର୍ଷ ୭/୮ ଜଣ କଏଦୀଙ୍କର ମୃତ୍ୟୁ ବରଣ କରିଥିବା ସେ ପ୍ରକାଶ କରିଥିଲେ ।ସେଠାରେ କୌଣସି ଡାକ୍ତର କି ଫର୍ମାସିଷ୍ଟ ନଥିବାରୁଏଲୋପାଥିକ ଉପରେ ଶିକ୍ଷା ପ୍ରାପ୍ତ କରି ନଥିବା କଏଦୀ ଗୁଣ୍ଡୁ ମାଦ୍ରୀ ବର୍ତ୍ତମାନ ଜେଲ ମଧ୍ଯରେ ଫର୍ମାସିଷ୍ଟ କାର୍ଯ୍ଯରେ ତାଙ୍କୁ ଜୋର ଜବରଦସ୍ତି ବ୍ଯବହୃତ କରାଯାଉଛି । ଏଥି ପାଇଁ ସ୍ବୟଂ ଜେଲ୍ ଅଧିକ୍ଷ ସଞ୍ଜୟ ବର୍ମା ବାଧ୍ଯ କରୁଛନ୍ତି । ମାଲକାନଗିରି ଉପ -କାରାଗାରରେ ୩୨୫ ଜଣ ଅନ୍ତେବାସୀ ରହିବାର କ୍ଷମତା ଥିବା ବେଳେ ୭୦୦ ରୁ ଅଧିକ କଏଦୀଙ୍କୁ ରଖା ଯାଇଛି,ଯାହାକି ଇତର ପ୍ରାଣୀ ଭଳି ଜୀବନ ନିର୍ବାହ କରୁଛନ୍ତି । ଯେଉଁ କଏଦୀମାନେ ହାତ ଗୁଞ୍ଜା ଦେଉଛନ୍ତି ସେମାନଙ୍କୁ ଭଲ କୋଠରୀର ବ୍ଯବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି । ଏହିପରି ବେଆଇନ କାର୍ଯ୍ଯ ମାଲକାନଗିରି ସଦର ମହକୁମାରେ ଥିବା ଉପ-କାରାଗାର ଅଧିକ୍ଷକ ସଞ୍ଜୟ ବର୍ମା ଚାଳାଇଥିବା ବେଳେ ଏ ସଂପର୍କରେ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ମାନସ ମାଡକାମୀ ରାଜ୍ଯ ଜେଲ୍ ଡିଜି ଏବଂ ରାଜ୍ଯ ଗୃହ ସଚିବଙ୍କୁ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି । ଜେଲରେ ଚାଲିଥିବା ମନମୁଖି ଶାସନ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ ଗୂଢ ରହସ୍ଯ ଉନ୍ମୋଚିତ ହୋଇ ପାରିବ ବୋଲି ଶ୍ରୀ ମାଡକାମୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.