ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ।

0 298

ରାୟଗଡ଼ା,୩୦/୦୫(ପିପିଟି);କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବବଧୂର ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଅନ୍ୟ ଆଉ କେହି ଅବହେଳାରେ ନମରନ୍ତୁ ବୋଲି ନାରବାଜି କରିଥିଲେ। ଦୀର୍ଘ ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ନାଇଡୁପେଟାର ଜି. ତ୍ରିବେଣୀ (୨୧) ,ଉଚ୍ଚ ଶିକ୍ଷିତ ହୋଇମଧ୍ୟ ନିଜ ପିଉସୀ ପୁଅ ଜି. ରାମୁଲୁଙ୍କୁ ଯିଏକି ମୁକ ଆଉ ବଧିର ହେଲେ ମଧ୍ୟ ପରିବାରର ସହମତିରେ ମେ ୨୧ରେ ବିବାହ କରିଥିଲେ। ଵିଵାହର ଚାରିଦିନ ପରେ ଅର୍ଥାତ ୨୬ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ସେହି ଦିନ ରାତିରେ ତ୍ରିବେଣୀଙ୍କୁ ଜେକେପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ହିମୋଗ୍ଲୋବିନ କମ୍ ଥିବା ଜଣା ପଡିଥିଲା। ଆବଶ୍ୟକ ଗ୍ରୁପର ରକ୍ତ ପ୍ରଦାନ ପରେ ମଧ୍ୟ ତ୍ରିବେଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା। ଫଳରେ ଗତ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବାସହ ମେଡିକାଲରେ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ। ପ୍ରତିବାଦରେ ଗାଁ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଓ ଏସଡିପିଓ ଦେବଜୋତ ଦାଶ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମେଡିକାଲରେ ଉତ୍ତମ ଚିକିତ୍ସା ଦିଗରେ ଧ୍ୟାନ ଦିଆଯିବା ସହ ନବବଧୂ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତିପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତାରୋକ ହଟିଥିଲା। ତେବେ ଜେକେପୁର ସ୍ଥିତ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଥର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ଯୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଡାକ୍ତରଖାନାର ସ୍ଥିତି ବଦଳୁ ନାହିଁ। ଯାହାକୁ ନେଇ ଅନେକ ସମୟରେ ଜିଲ୍ଲାବାସୀଙ୍କ ମଧ୍ଯରେ ଅସନ୍ତୋଷର ଦାନାବାନ୍ଧୁଛି।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.